ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଗୋଟିଏ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଆସନ୍ତା ସପ୍ତାହରେ ବିସିସିଆଇ ଦଳ ଘୋଷଣା କରିବ । ଆଇପିଏଲ ପରେ ଏହି ସିରିଜ ଆରମ୍ଭ ହେବ । ମୁଲ୍ଲାପୁରରେ ଏକମାତ୍ର ଟେଷ୍ଟ ଖେଳାଯିବା ପରେ ୧୪, ୧୭ ଓ ୨୦ ଜୁନରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ଏକ ଯୁବ ଓ ଦକ୍ଷତା ସମ୍ପନ୍ନ ଟିମ ଚୟନ କରିବ ବୋଲି ଜଣାପଡିଛି । ଟେଷ୍ଟ ମ୍ୟାଚ ପାଇଁ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ ।
ଦିନିକିଆ ଟିମରେ ଈଶାନ କିଶାନଙ୍କ ପ୍ରତ୍ୟାବର୍ତନ ଏକପ୍ରକାର ନିଶ୍ଚିତ ହୋଇଛି । ଟି୨୦ ବିଶ୍ୱକପ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରି ଈଶାନ ଚୟନ କମିଟିଙ୍କ ବିଶ୍ୱାସ ଜିଣିପାରିଛନ୍ତି । ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୪୦୦ରୁ ଅଧିକ ରନ ସଂଗ୍ରହ କରିପାରିଛନ୍ତି । ଦିନିକିଆ କ୍ରିକେଟରେ ସେ ୪୨ରୁ ଊର୍ଦ୍ଧ୍ୱ ଆଭରେଜରେ ୯୩୩ ରନ କରିଛନ୍ତି । ସେ ଦ୍ୱିଶତକ ମାରିବା ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ଈଶାନ ଦଳକୁ ଫେରିବା ମାନେ ରିଷଭ ପନ୍ତ ବାଦ ପଡିବା ଏକପ୍ରକାର ନିଶ୍ଚିତ । ସେହିପରି ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଚୟନ କମିଟି ଜଣଙ୍କୁ ନେବା ପାଇଁ ମନ ବଳାଇଛନ୍ତି । ଅକ୍ଷରଙ୍କ ପଲା ଭାରୀ ରହିଛି ।