ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପ୍ରସ୍ତୁତିର ଅନ୍ତିମ ରୂପରେଖ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ କିଶାନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ ପ୍ରଥମ ଟି୨୦ରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ବୋଲି ସୂର୍ଯ୍ୟକୁମାର କହିଛନ୍ତି । ସେ ଟି୨୦ ବିଶ୍ୱକପ ଟିମର ଅଂଶବିଶେଷ । ନିକଟରେ ଘରୋଇ କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ଈଶାନ ୩ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ବୋଲି ସୂର୍ଯ୍ୟକୁମାର କହିଛନ୍ତି ।
୨୬ ମାସ ପରେ ଈଶାନ ଭାରତ ପକ୍ଷରୁ ମ୍ୟାଚ ଖେଳିବାକୁ ଯାଉଛନ୍ତି । ୨୦୨୩ରେ ସେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ପରେ ସେ ଟିମର ସ୍ଥାୟୀ ସଦସ୍ୟ ହୋଇ ରହିପାରି ନ ଥିଲେ । ଘରୋଇ କ୍ରିକେଟର ଚମତ୍କାର ପ୍ରଦର୍ଶନ ଏବେ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି । ଆଘାତପ୍ରାପ୍ତ ତିଳକ ବର୍ମା ପ୍ରଥମ ୩ଟି ମ୍ୟାଚ ଖେଳି ନାହାନ୍ତି । ଈଶାନ ଜଣେ ନିୟମିତ ଓପନର ବ୍ୟାଟ୍ସମ୍ୟାନ । ଦଳର ଆବଶ୍ୟକତା ଦୃଷ୍ଟି କୋଣରୁ ସେ ମିଡିଲ ଅର୍ଡରରେ ମଧ୍ୟ ବ୍ୟାଟିଂ କରନ୍ତି । ଈଶାନ ୨୦୨୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୩୨ ମ୍ୟାଚରେ ୬ ଅର୍ଦ୍ଧଶତକ ସହ ୭୯୬ ରନ କରିଛନ୍ତି ।