Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ ଦେବ ଇସ୍ରାଏଲ୍
ନୂଆଦିଲ୍ଲୀ: ଉଡ଼ନ୍ତା ବିମାନରେ ହଠାତ୍ ସୃଷ୍ଟି ହୋଇଥିଲା ବଡ଼ ସଙ୍କଟ। କକ୍ପିଟ୍ ଭିତରେ ଆକ୍ରମଣର ଶିକାର ହେବା ପରେ ମଧ୍ୟ ହାର ମାନିନଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର। ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ତତ୍ପରତା ଯୋଗୁ ପ୍ରାୟ ୧୮୦ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା ।ଏବେ ଏହି ସାହସ ପାଇଁ ତାଙ୍କୁ ଇସ୍ରାଏଲ୍ରେ ସମ୍ମାନିତ କରାଯିବ। ଭାରତରେ ଇସ୍ରାଏଲ୍ର ରାଷ୍ଟ୍ରଦୂତ ରୁଭେନ୍ ଅଜାର ଏହି ଘୋଷଣା କରିଛନ୍ତି।
ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, କକ୍ପିଟ୍ ଭିତରେ କୋ-ପାଇଲଟ୍ଙ୍କ ଆକ୍ରମଣରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଆହତ ହୋଇଥିଲେ। ଏହା ପରେ ବିମାନର ନିୟନ୍ତ୍ରଣକୁ ନେଇ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତ ହୋଇଥିଲେ ମଧ୍ୟ ସ୍ମିତ କକ୍ପିଟ୍ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ବିମାନ ଭିତରେ ଥିବା ଅନ୍ୟମାନେ ହସ୍ତକ୍ଷେପ କରିବାର ସୁଯୋଗ ପାଇଥିଲେ। ପରେ ଅଫ୍-ଡ୍ୟୁଟି ପାଇଲଟ୍ମାନେ ମଧ୍ୟ ବିମାନ ନିୟନ୍ତ୍ରଣରେ ସହାୟତା କରିଥିଲେ। ବିମାନଟି ଶେଷରେ ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା।
ଏହି ଘଟଣା ପରେ ଭାରତୀୟ ପାଇଲଟ୍ଙ୍କ ସାହସକୁ ପୂରା ବିଶ୍ବ ପ୍ରଶଶଂସା କରୁଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଖୁବ୍ ପ୍ରଶଂସା କରାଯାଇଛି। କାରଣ ଏଥିରେ ପ୍ରାୟତଃ ଇସ୍ରାଏଲୀ ନାଗରିକ ଥିଲେ । ଏନେଇ ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ୍ ଅଜାର କହିଛନ୍ତି ଯେ, ସ୍ମିତଙ୍କ ସାହସ, ଧୈର୍ଯ୍ୟ ଓ ତତ୍ପରତା ଯୋଗୁ ଅନେକ ଜୀବନ ବଞ୍ଚିପାରିଥିଲା। ଇସ୍ରାଏଲ୍ ସେହି ଲୋକଙ୍କୁ କେବେ ଭୁଲେ ନାହିଁ, ଯେଉଁମାନେ ସଙ୍କଟ ସମୟରେ ସହାୟତା କରନ୍ତି ବୋଲି ସେ କହିଛନ୍ତି। ରାଷ୍ଟ୍ରଦୂତଙ୍କ କହିବା ଅନୁସାରେ, ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସଦ ବାଚସ୍ପତିଙ୍କ ସମେତ ଦେଶର ଅନେକ ଲୋକ ସ୍ମିତଙ୍କ ସାହସ ପାଇଁ କୃତଜ୍ଞ। ତାଙ୍କୁ ଇସ୍ରାଏଲ୍ରେ ଉପଯୁକ୍ତ ଭାବେ ସମ୍ମାନିତ କରାଯିବ ବୋଲି ଅଜାର ସ୍ପଷ୍ଟ କରିଛନ୍ତି। I
ଘଟଣା ପରେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ସ୍ମିତ ମଚ୍ଛାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଲ୍ରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ। ଏହି ସମୟରେ ସ୍ମିତ ଘଟଣାର ଅନୁଭୂତି ମଧ୍ୟ ବର୍ଣ୍ଣନା କରିଥିଲେ। ତାଙ୍କ ଏହି ଭୂମିକାକୁ କେବଳ ଇସ୍ରାଏଲ୍ ନୁହେଁ, ଭାରତରେ ମଧ୍ୟ ପ୍ରଶଂସା କରାଯାଇଛି। ତାଙ୍କ ପୂର୍ବତନ ନିଯୁକ୍ତିଦାତା ସ୍ପାଇସ୍ଜେଟ୍ ମଧ୍ୟ ତାଙ୍କ ସାହସ ପାଇଁ ଗର୍ବ ପ୍ରକାଶ କରିଛି।
ଏବେ ସ୍ମିତଙ୍କ ଚିକିତ୍ସା ଚାଲିଥିବା ବେଳେ, ତାଙ୍କ ସାହସିକ ପଦକ୍ଷେପ ପାଇଁ ଇସ୍ରାଏଲ୍ ପକ୍ଷରୁ ମିଳିବାକୁ ଥିବା ସମ୍ମାନ ଚର୍ଚ୍ଚାରେ ରହିଛି । ସେପଟେ କିପରି ଏତେ ବଡ ଅଘଟଣ ଘଟିଲା । କିଏ ଥିଲେ ସେ କୋ ପାଇଲଟ୍? କାହା ପାଇଁ କାମ କରୁଥିଲେ? ଏହି ଘଟଣାର ତଦନ୍ତ ମଧ୍ୟ ଚାଲିଛି।

