ISRO Plans: ମହାକାଶରେ ଭାରତର ମହାପ୍ଲାନ୍! ୨୦୨୯ ସୁଦ୍ଧା ୪ ଲଞ୍ଚ ପ୍ୟାଡ୍, ଗଗନଯାନରୁ ଚନ୍ଦ୍ରଯାନ-୫ ପର୍ଯ୍ୟନ୍ତ ଇସ୍ରୋର ବଡ଼ ପ୍ରସ୍ତୁତି…
ନୂଆଦିଲ୍ଲୀ: ମହାକାଶରେ ଆହୁରି ବଢ଼ିବ ଭାରତର ଦବଦବା! ଉପଗ୍ରହ ଉତ୍କ୍ଷେପଣଠାରୁ ଆରମ୍ଭ କରି ମଣିଷକୁ ମହାକାଶକୁ ପଠାଇବା ଏବଂ ଚନ୍ଦ୍ରପୃଷ୍ଠରେ ଗବେଷଣା…ସବୁ କ୍ଷେତ୍ରରେ ବଡ଼ ପ୍ରସ୍ତୁତି କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ। ୨୦୨୯ ସୁଦ୍ଧା ଦେଶରେ ଚାରିଟି କାର୍ଯ୍ୟକ୍ଷମ ରକେଟ୍ ଉତ୍କ୍ଷେପଣ କେନ୍ଦ୍ର ରହିବାର ଯୋଜନା ରହିଛି। ଅନ୍ୟପଟେ ଗଗନଯାନ ମିଶନର ପ୍ରଥମ ମାନବବିହୀନ ପରୀକ୍ଷଣ ପାଇଁ ଚାଲିଛି ପ୍ରସ୍ତୁତି। ଏପରିକି ଜାପାନର ସହଯୋଗରେ ଚନ୍ଦ୍ରଯାନ-୫ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିବାକୁ ଯୋଜନା ରଖିଛି ଭାରତ। ତେବେ କ’ଣ ରହିଛି ଇସ୍ରୋର ଏହି ମହାପ୍ଲାନ୍? କେବେ ମହାକାଶକୁ ଯିବେ ଭାରତୀୟ ମହାକାଶଚାରୀ? ଆଉ ଚନ୍ଦ୍ରଯାନ-୫ରେ କ’ଣ ରହିବ ବିଶେଷତ୍ୱ?
ତେବେ ଆଗାମୀ ବର୍ଷଗୁଡ଼ିକରେ ଦେଶର ମହାକାଶ କ୍ଷମତାକୁ ଆହୁରି ମଜଭୁତ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନଙ୍କ ସୂଚନା ଅନୁସାରେ, ୨୦୨୯ ସୁଦ୍ଧା ଭାରତରେ ଚାରିଟି କାର୍ଯ୍ୟକ୍ଷମ ଉତ୍କ୍ଷେପଣ କେନ୍ଦ୍ର ରହିବାର ଯୋଜନା ରହିଛି। ଏହାଦ୍ୱାରା ଉପଗ୍ରହ ଉତ୍କ୍ଷେପଣ କ୍ଷମତା ବଢ଼ିବା ସହ ଦେଶର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଗତି ମିଳିପାରିବ।
କାହିଁକି ଜରୁରୀ ୪ ଲଞ୍ଚ ପ୍ୟାଡ୍?
ବର୍ତ୍ତମାନ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, ପୃଥିବୀର ନିରୀକ୍ଷଣ ଏବଂ ବୈଜ୍ଞାନିକ ଗବେଷଣା ପାଇଁ ଉପଗ୍ରହର ଆବଶ୍ୟକତା ବଢ଼ୁଛି। ତେଣୁ ଅଧିକ ରକେଟ୍ ଉତ୍କ୍ଷେପଣ କେନ୍ଦ୍ର ରହିଲେ ଏକ ସମୟରେ ଅଧିକ ମହାକାଶ ଅଭିଯାନ ପରିଚାଳନା କରିବା ସହଜ ହେବ। ଉତ୍କ୍ଷେପଣ ପାଇଁ ଅପେକ୍ଷା ସମୟ କମିବା ଏବଂ ଭାରତର ମହାକାଶ ସେବାର ଚାହିଦା ପୂରଣ କରିବାରେ ମଧ୍ୟ ସହାୟତା ମିଳିପାରିବ। ଏହି ଯୋଜନା ମଧ୍ୟରେ ତାମିଲନାଡୁର ତୁତିକୋରିନ ଜିଲ୍ଲାର କୁଲଶେଖରପଟ୍ଟିନମ୍ରେ ଏକ ସ୍ୱତନ୍ତ୍ର ଉତ୍କ୍ଷେପଣ କେନ୍ଦ୍ର ବିକଶିତ କରିବାର ଯୋଜନା ରହିଛି। ଏଠାରୁ ଛୋଟ ଉପଗ୍ରହ ଉତ୍କ୍ଷେପଣ ଯାନ ବା ଏସ୍ଏସ୍ଏଲ୍ଭି ଜରିଆରେ ଉପଗ୍ରହ ପଠାଯାଇପାରିବ। ଏଥିପାଇଁ ପ୍ରାୟ ୨ ହଜାର ଏକର ଜମି ନିର୍ଦ୍ଧାରଣ କରାଯାଇଛି। ଏହି କେନ୍ଦ୍ରରେ ରକେଟ୍ର ବିଭିନ୍ନ ଅଂଶ ଯୋଡ଼ିବା, ଉତ୍କ୍ଷେପଣ ପୂର୍ବରୁ ରକେଟ୍ ପ୍ରସ୍ତୁତ କରିବା, ରକେଟ୍କୁ ଉତ୍କ୍ଷେପଣ ସ୍ଥଳକୁ ନେବା ପାଇଁ ରେଳପଥ, ତଥ୍ୟ ସଂଗ୍ରହ, ନିରୀକ୍ଷଣ ଓ ନିୟନ୍ତ୍ରଣ ଭଳି ଆବଶ୍ୟକୀୟ ବ୍ୟବସ୍ଥା ରହିବ। ବିଶେଷକରି ଛୋଟ ଉପଗ୍ରହ ଉତ୍କ୍ଷେପଣର ଚାହିଦା ପୂରଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ଇସ୍ରୋର ଆଉ ଏକ ବଡ଼ ମିଶନ ହେଉଛି ଗଗନଯାନ। ଏହା ଭାରତର ମାନବ ମହାକାଶ ଅଭିଯାନ। ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ଏବଂ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବା ପାଇଁ ଏହି ମିଶନ ପ୍ରସ୍ତୁତ କରାଯାଉଛି। ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଥମ ମାନବବିହୀନ ପରୀକ୍ଷଣ କରିବାର ଯୋଜନା ରହିଛି। ମହାକାଶଚାରୀଙ୍କୁ ପଠାଇବା ପୂର୍ବରୁ ଆଉ ଦୁଇଟି ମାନବବିହୀନ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣରେ ମହାକାଶଯାନର ସୁରକ୍ଷା ବ୍ୟବସ୍ଥା, ତାପମାତ୍ରା ଓ ଆର୍ଦ୍ରତା ନିୟନ୍ତ୍ରଣ, ଜୀବନଧାରଣ ପାଇଁ ଆବଶ୍ୟକ ପରିବେଶ ଏବଂ ଜରୁରୀ ପରିସ୍ଥିତିରେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରିବା ବ୍ୟବସ୍ଥାର ଯାଞ୍ଚ କରାଯିବ।
ଇସ୍ରୋ ଅନୁସାରେ, ଗଗନଯାନ କାର୍ଯ୍ୟକ୍ରମ ପାଇଁ ଭୂମିରେ ପ୍ରାୟ ୮ ହଜାର ପରୀକ୍ଷଣ କରାଯାଇସାରିଛି। ଏହି ମିଶନ ପାଇଁ ଚୟନ ହୋଇଥିବା ଚାରିଜଣ ମହାକାଶଚାରୀ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି। ତେବେ ମାନବଯୁକ୍ତ ଉଡ଼ାଣ ପୂର୍ବରୁ ସମସ୍ତ ସୁରକ୍ଷା ପରୀକ୍ଷଣ ସଫଳ ହେବା ଜରୁରୀ।
ଚନ୍ଦ୍ର ଅଭିଯାନକୁ ଆହୁରି ଆଗକୁ ନେବା ପାଇଁ ଇସ୍ରୋ ଜାପାନର ମହାକାଶ ସଂସ୍ଥା ସହଯୋଗରେ ଚନ୍ଦ୍ରଯାନ-୫ ମିଶନ ଉପରେ ଯୋଜନା କରୁଛି। ପ୍ରସ୍ତାବିତ ମିଶନରେ ପ୍ରାୟ ୩୫୦ କିଲୋଗ୍ରାମ ଓଜନର ଏକ ରୋଭର୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାର ଯୋଜନା ରହିଛି। ରୋଭର୍ଟି ଚନ୍ଦ୍ରରେ ପ୍ରାୟ ୧୦୦ ଦିନ ଧରି ବୈଜ୍ଞାନିକ ପରୀକ୍ଷଣ କରିବା ଲକ୍ଷ୍ୟ ରଖାଯାଇଛି।
ରୋଭର୍ ହେଉଛି ଚନ୍ଦ୍ର କିମ୍ବା ଅନ୍ୟ ଗ୍ରହର ପୃଷ୍ଠରେ ଚଳାଚଳ କରିପାରୁଥିବା ଏକ ରୋବୋଟିକ୍ ଯାନ। ଏହା ଚନ୍ଦ୍ରର ମାଟି, ପୃଷ୍ଠଭାଗ ଓ ସେଠାକାର ପରିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସହାୟତା କରିଥାଏ। ଚନ୍ଦ୍ରଯାନ-୫ ମାଧ୍ୟମରେ ଚନ୍ଦ୍ରର ଅଧିକ ରହସ୍ୟ ଉନ୍ମୋଚନ କରିବା ସହ ଭାରତ ଓ ଜାପାନ ମଧ୍ୟରେ ମହାକାଶ ଗବେଷଣା ସହଯୋଗ ମଜଭୁତ ହୋଇପାରିବ।
ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭାଗିଦାରି ବଢ଼ୁଥିବାରୁ ଇସ୍ରୋର ଘରୋଇକରଣ ହେବ କି ନାହିଁ, ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ସ୍ପଷ୍ଟ କରିଛନ୍ତି ଯେ ମହାକାଶ ସଂସ୍ଥାର ଘରୋଇକରଣ କରାଯିବ ନାହିଁ। ଅନ୍ୟପଟେ, ଘରୋଇ କମ୍ପାନୀ ଓ ଷ୍ଟାର୍ଟଅପ୍ଗୁଡ଼ିକ ସହ ସହଯୋଗ ବଢ଼ାଇବାକୁ ଯୋଜନା ରହିଛି। ଏହି ସହଯୋଗ ମାଧ୍ୟମରେ ମହାକାଶ ଉପକରଣ, ବିଭିନ୍ନ ବୈଷୟିକ ବ୍ୟବସ୍ଥା ଓ ସେବାର ବିକାଶରେ ଘରୋଇ କ୍ଷେତ୍ରର ଭାଗିଦାରି ବଢ଼ିପାରିବ। ଏହା ସହ ଉଚ୍ଚ ବୈଷୟିକ କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏବେ ନଜର ୨୦୨୯ ଉପରେ। ଚାରିଟି କାର୍ଯ୍ୟକ୍ଷମ ଉତ୍କ୍ଷେପଣ କେନ୍ଦ୍ର, ଗଗନଯାନର ମାନବବିହୀନ ପରୀକ୍ଷଣ ଏବଂ ଚନ୍ଦ୍ରଯାନ-୫ ଭଳି ଯୋଜନା ସଫଳ ହେଲେ ଭାରତର ମହାକାଶ କାର୍ଯ୍ୟକ୍ରମ ଆହୁରି ଶକ୍ତିଶାଳୀ ହେବ। ଏହା କେବଳ ବୈଜ୍ଞାନିକ ଉପଲବ୍ଧି ନୁହେଁ, ବରଂ ମହାକାଶ କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଓ ଆନ୍ତର୍ଜାତିକ ସହଯୋଗକୁ ମଧ୍ୟ ନୂଆ ଦିଗ ଦେଇପାରିବ।

