Latest Odisha News

BREAKING NEWS

ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଆରମ୍ଭ ହେଲା କାଉନଡାଉନ

ନୂଆଦିଲ୍ଲୀ : ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଆଜି ଶ୍ରୀହରି କୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ପେଶ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନ । ରାତି ୯ଟା ୫୮ ମିନିଟରେ ଲଞ୍ଚ ହେବ ଏହି ମିଶନ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଏହି ମିଶନ ଭାରତର ଆଗାମୀ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ଗୁରୁତ୍ବ ରଖୁଛି।

ଏହି ମିଶନ ବିଶେଷ କରି ଭାରତର ନିଜସ୍ବ ସ୍ପେଶ ଷ୍ଟେସନ ନିର୍ମାଣ ହେଉ କି ଗଗନାୟନ ମିଶନ ଓ ଚନ୍ଦ୍ରଯାନ ୪ ଅଭିଯାନ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହା ଦ୍ବାରା ସ୍ପେସ୍ ‘ଡକିଂ’ ଟେକ୍ନୋଲୋଜିର ପରୀକ୍ଷଣ କରିବ ଇସ୍ରୋ। ଭାରତର ସବୁଠାରୁ ନିର୍ଭରଯୋଗ୍ୟ ରକେଟ PSLV C60 ସାହାଯ୍ୟରେ ମହାକାଶକୁ ଦୁଇଟି ଛୋଟ ମହାକାଶଯାନ ବା ସ୍ପେଶକ୍ରାଫ୍ଟ SDX01 ଓ SDX02 ପଠାଯିବ । ଦୁଇଟି ଯାକ ସ୍ପେଶକ୍ରାଫ୍ଟର ଓଜନ ୨୨୦ କିଲୋଗ୍ରାମ ରହିଛି ।

SDX01 ହେଉଛି ‘ଚେସର’ ଓ SDX02 ହେଉଛି ‘ଟାର୍ଗେଟ୍’ । ଏହି ଦୁଇଟି ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷରେ ପହଞ୍ଚିବା ପରେ ଏହାକୁ ସଂଯୋଗ କରାଯିବ । ଯାହାକି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବା BAS ନିର୍ମାଣ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ପେଶ ଡକିଂ ଏକ୍ସପେରୀମେଣ୍ଟ ସଫଳ ହେଲେ ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ଯିଏ ଏହି ମହାରତ ହାସଲ କରିବ । ଏଥିସହ ମହାକାଶରେ ୨୪ଟି ବୈଜ୍ଞାନିକ ପରୀକ୍ଷଣ କରିବ ଇସ୍ରୋ । ଏହି ମିଶନର ଅବଧି ୬୬ ଦିନ ରହିଛି ।

Comments are closed.