Latest Odisha News

BREAKING NEWS

ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ବଡ଼ ପରିବହନ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଠାରେ ଆଇଟି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବ।

ଏନେଇ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିଏସ୍ଏବିଟିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏ ଅଧକ୍ଷ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ଏହା ସହିତ ପରିସର ମଧ୍ୟରେ ଥିବା ଦୋକାନ ଘରର ଚାବିକୁ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

ଏକ ଉଚ୍ଚମାନର ଯାତ୍ରୀ ସେବା ପ୍ରଦାନ ପାଇଁ (ବିଏସ୍ଏବିଟି) ବିଭିନ୍ନ ସୁବିଧା ରହିଛି। ଏଠାରେ ଆଇଟି କଂପାନୀ ପ୍ରତିଷ୍ଠା ଦ୍ଵାରା ପରିବହନ ସହ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଯାହା ଏହି ପରିସରରେ ଥିବା ବ୍ୟବସାୟୀଙ୍କୁ ଭଲ ବ୍ୟବସାୟ କରିବା ପାଇଁ ସହାୟକ ହେବ।

ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ଭିସା ଆପ୍ଲିକେସନ ସେଣ୍ଟର ନେଇ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଉଲ୍ଲେଖ କରିବା ସହ ବିଏସ୍ଏବିଟିର ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ଆହାର ଖାଦ୍ୟ କେନ୍ଦ୍ରରେ ମଧ୍ୟ ଖାଇଥିଲେ।

ବର୍ତ୍ତମାନ ଏହି ଆଧୁନିକ ବସ୍ ଟର୍ମିନାଲ୍‌କୁ ପରିଚାଳନା କରୁଥିବା ବିଡିଏ ବିଏସ୍ଏବିଟିର ଦୁଇଟି ମହଲାରେ ଥିବା ଜାଗାକୁ ଆଇଟି କମ୍ପାନୀମାନଙ୍କ ପାଇଁ ଦେବାକୁ ନିଷ୍ପତ୍ତି ନେଇଛି। ଯାହାଦ୍ୱାରା ଗୋଟିଏ ଛାତ ତଳେ ପରିବହନ, ସେବା ଓ ପ୍ରଯୁକ୍ତିବିଦ୍ୟାର ଏକ ଅନନ୍ୟ ମିଶ୍ରଣ ସମ୍ଭବ ହୋଇ ପାରିବ।

ଆଇଟି କମ୍ପାନୀ ହେବା ଫଳରେ ଦୈନିକ ଯାତ୍ରୀ ସଂଖ୍ୟା ବଢ଼ିବ, ଯାହା ଟର୍ମିନାଲ୍ ଭିତରେ ଥିବା ଦୋକାନୀମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ। “ପୂର୍ବରୁ ଅନେକ ଦୋକାନୀ ବସ୍ ଟର୍ମିନାଲ୍ ବାହାରେ ବସିବାକୁ ବାଧ୍ୟ ହେଉଥିଲେ। ନୂଆ ବିଏସ୍ଏବିଟିରେ ସେମାନଙ୍କୁ ଶୀତତାପ ନିୟନ୍ତ୍ରିତ ଦୋକାନ ଘର ଯୋଗାଇ ଦିଆଯାଇଛି। ଯାହାଦ୍ୱାରା ସେମାନେ ସମ୍ମାନଜନକଭାବେ ରୋଜଗାର କରି ଜୀବିକା ନିର୍ବାହ କରିପାରିବେ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି।

ପୂର୍ବରୁ ସେପ୍ଟେମ୍ବର ମାସରେ ବିଡିଏ ବିଏସ୍ଏବିଟିରେ ୧୧୨ଟି ଦୋକାନକୁ ହିତାଧିକାରୀଙ୍କୁ ଲଟେରି ମାଧ୍ୟମରେ ମାସିକ ଭଡ଼ା ଭିତ୍ତିରେ ଆବଣ୍ଟିତ କରିଥିଲା । ବିଏସ୍ଏବିଟିର ନିର୍ମାଣ ପୂର୍ବରୁ ପୁରୁଣା ବରମୁଣ୍ଡା ବସ୍ ଟର୍ମିନାଲ ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଦ୍ବାରା କରାଯାଇଥିବା ଏକ ସର୍ଭେ ଆଧାରରେ ହିତାଧିକାରୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ଆବଣ୍ଟିତ ଦୋକାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାଣି ସଂଯୋଗ ଏବଂ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି, ଏବଂ ବିଡିଏ ସହିତ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇସାରିଛି।

ସୂଚନାଯୋଗ୍ୟ, ୧୧ ଏକର ଜମିରେ ନିର୍ମିତ ବିଏସ୍ଏବିଟି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଟର୍ମିନାଲ। ଯେଉଁଠି ପ୍ରତିଦିନ ୧୫୦୦ରୁ ଅଧିକ ବସ୍ ଓ ପ୍ରାୟ ୨୦,୦୦୦ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏହା ଅନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ବସ୍ ଯାତ୍ରୀସେବା ପ୍ରଦାନ କରିଆସୁଛି।

 

Leave A Reply

Your email address will not be published.