ଭୁବନେଶ୍ଵର: ବଣ୍ଟି-ବବଲିଙ୍କ ଘରେ ଆୟକର ବିଭାଗ। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ଚଢାଉ । ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ । ଘର ଓ ଅଫିସରେ ଚଢ଼ାଉ କରୁଛି । ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ଼ କରୁଛି ବିଭାଗ । ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ପଡ଼ିଥିଲେ ଠକ ହଂସିତା । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ହଂସିତା, ଅନୀଲ ।
ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ଶେଷରେ ଧରାପଡିଥିଲେ ପୋଲିସ ହାତରେ । ପୋଲିସ ସେମାନଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଗୋଟେପଟେ ଆୟକର ବିଭାଗ ଚଢାଉ କରିଥିବା ବେଳେ କମିଶନରେଟ ପୋଲିସକୁ ଉଭୟଙ୍କ ବିଷୟରେ ତଥ୍ୟ ମାଗିଛି ଇଡି । ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ ।