Latest Odisha News

ବିଜେପି ସରକାର ୪୦% କମିସନ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା କର୍ଣ୍ଣାଟକର ଠିକାଦାରଙ୍କ ଘରୁ ୪୦ କୋଟି ଜବତ!

ବେଙ୍ଗାଲୁରୁ: କର୍ଣ୍ଣାଟକର ଅନେକ ଠିକାଦାରଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ ପକ୍ଷରୁ ଗତକାଲି ଗୁରୁବାର ଠାରୁ ଚଢ଼ାଉ ଓ ଜବତ ଅଭିଯାନ ଜାରି ରହିଛି। ଏହି ଚଢ଼ାଉକୁ ନେଇ କର୍ଣ୍ଣାଟର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ଏହି ରେଡ୍ ବାବଦରେ ଆଇଟି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ବିବିଏମପିର ପୂର୍ବତନ କର୍ପୋରେଟର ଅଶ୍ୱଥମ୍ମାଙ୍କଠୁ ୪୦ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥାଇପାରେ। ଅଶ୍ବଥମ୍ମାଙ୍କ ସ୍ୱାମୀ ଆର. ଅମ୍ବିକାପତି ଜଣେ ଠିକାଦାର। ଉଭୟ ଆରଟି ନଗରର ଆତ୍ମାନନ୍ଦ କଲୋନୀର ବାସିନ୍ଦା।

ଅମ୍ବିକାପତି ବିବିଏମପିର ଦୁଇଟି ସିଭିଲ କଣ୍ଟ୍ରାକ୍ଟର ସଂଘ ମଧ୍ୟରୁ ଗୋଟିଏ ସଂଘର ସଭାପତି ଏବଂ ଡି କେମ୍ପାନ୍ନାଙ୍କ ନେତୃତ୍ୱରେ କର୍ଣ୍ଣାଟକ ରାଜ୍ୟ କଣ୍ଟ୍ରାକ୍ଟର ସଂଘର ଉପସଭାପତି ଅଛନ୍ତି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ପୂର୍ବ ସରକାର ସମସ୍ତ ପ୍ରକଳ୍ପ ପାଇଁ ୪୦% କମିଶନ ନେଉଛନ୍ତି। ଅର୍ଥାତ ବିଜେପି ସରକାରରେ ୪୦ ପ୍ରତିଶତ କମିଶନ ନିଆଯାଉଛି ବୋଲି ଅଭିଯୋଗ ଆଣିଥିଲେ ଯାହା ପରବର୍ତ୍ତୀ ସମୟରେ କଂଗ୍ରେସ ପିସି ସରକାର କହି ନିର୍ବାଚନୀ ନାରା ତିଆରି କରିଥିଲା।

୨୦୨୨ ଡିସେମ୍ବରରେ ବିଜେପିର ମୁନିରତ୍ନଙ୍କ ଦ୍ୱାରା ଦାୟର ମାନହାନି ମାମଲାରେ ଗିରଫ ହୋଇଥିବା ରାଜ୍ୟ ସଂଘର ପଦାଧିକାରୀଙ୍କ ମଧ୍ୟରେ ସେ ଥିଲେ। ପରେ ସେମାନେ ଜାମିନରେ ମୁକୁଳିଥିଲେ।

ବିଜେପି ବିଧାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଏହି ଅର୍ଥ ବିଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ କରିବା ପାଇଁ କଂଗ୍ରେସର ବେଆଇନ ‘ସଂଗ୍ରହ’ର ଅଂଶବିଶେଷ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଆଇଟି ରେଡକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Comments are closed.