ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେବେ । ଏଥିପାଇଁ ଦଳଘୋଷଣା ଆଉ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଇତି ମଧ୍ୟରେ ଏକ ଖବର ଏବେ ପୂନର୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେବା ପରେ ଜାଡେଜା ଟେଷ୍ଟ ଟିମର ନେତୃତ୍ୱ ନେବା ପାଇଁ ଆଶା ରଖିଥିଲେ ।
ଅଶ୍ୱୀନଙ୍କ ସହ ପୋଡକାଷ୍ଟରେ ଜାଡେଜା ତାଙ୍କ ମନ କଥା ରଖିଥିଲେ । ଅଶ୍ୱୀନ ଯେତେବେଳେ ପଚାରିଥିଲେ ଅବସର ନେବା ପୂର୍ବରୁ ଆପଣ କ୍ରିକେଟରେ ଆଉ କଣ ସଫଳତା ହାସଲ କରିବାକୁ ଚାହୁଁଛନ୍ତି । ଜାଡେଜା ହସି କରି କହିଥିଲେ ଟେଷ୍ଟ ଟିମର ନେତୃତ୍ୱ ନେବା । ଚୟନ କମିଟି ଯଶପ୍ରୀତ ବୁମରାହ, ଜାଡେଜା ଓ ରିଷଭ ପନ୍ତଙ୍କ ଅଭିଜ୍ଞତାକୁ ଗୁରୁତ୍ୱ ନ ଦେଇ ଗିଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ । ଗିଲଙ୍କୁ ଅଧିନାୟକ କରିବା ପାଇଁ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଏକା ଜିଦ ଧରିଥିଲେ । ଇଂଲଣ୍ଡ ଗସ୍ତ ପରେ ଅବଶ୍ୟ ସେମାନଙ୍କ ଜିଦ କେତେ ଯୁକ୍ତିଯୁକ୍ତ ଥିଲା ତାହା ଜଣାପଡିବ । ବିଶ୍ୱ କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେ ଜାଡେଜା ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି । ସେ ନିଜେ ମଧ୍ୟ ଟେଷ୍ଟ ଟିମର ନେତୃତ୍ୱ ନେବା ସହଜ ବୋଲି କହିଥିଲେ ।
ଜାଡେଜାଙ୍କ ମନ ଯଦି ପ୍ରକ୍ୃତରେ ଭାଙ୍ଗିଥିବ ବୋଧହୁଏ ଆଗାମୀ ଇଂଲଣ୍ଡ ଗସ୍ତ ପରେ ସେ ମଧ୍ୟ ଅନ୍ୟ ସିନିୟର ଖେଳାଳିଙ୍କ ପରି ଅବସର ଘୋଷଣା କରିଦେବା ବଡ କଥା ହେବନି । ସେ ୮୦ ଟେଷ୍ଟରେ ୩୩୭୦ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ । ସେ ଏହି ଫର୍ମାଟରେ ୩୨୩ ୱିକେଟ ମଧ୍ୟ ହାସଲ କରିଛନ୍ତି । ସେହିପରି ୨୦୪ ଦିନିକିଆରେ ୨୮୦୬ ରନ ଏବଂ ୨୩୧ ୱିକେଟ ନେଇଛନ୍ତି । ଆନ୍ତର୍ଜାତୀୟ ଟି୨୦ ଅବସର ଘୋଷଣା କରିଥିବା ଏହି ସ୍ପିନର ଅଲରାଉଣ୍ଡର ୫୧୫ ରନ କରିବା ସହ ୫୪ ୱିକେଟ ଅକ୍ତିଆର କରିଛନ୍ତି ।
Comments are closed.