Latest Odisha News

BREAKING NEWS

ମହାପ୍ରଭୁ ହେଲେ ନୀଳାଦ୍ରି ବିଜେ

ପୁରୀ: ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ ନୀତି। ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ। ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ୬ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ | ଶେଷରେ ରତ୍ନବେଦୀରେ ବିରାଜ ମାନ କଲେ ମହାବାହୁ। ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭବ ଭିଡ ଲାଗିଥିଲା।
ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନୀଳାଦ୍ରୀନାଥ। ଚଳିତବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି ସଂଧ୍ୟାଧୂପ ସରିବା ପରେ ୩ ରଥରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରି ଲାଗି ଶେଷ ହୋଇ ବିଜେ କାହାଳି ବାଜିଥିଲା। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ,ପରେ ବଡଭାଇ ବଳଭଦ୍ର,ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିଛନ୍ତି।

କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିଥିଲା ଆଉ ଏକ ମାନବୀୟ ଲୀଳା। ଝୁଲି ଝୁଲି କରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ। ତେବେ ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ସହ ପାଟବସ୍ତ୍ର ଦେବା ପରେ କବାଟ ଖୋଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ ମା ଲକ୍ଷ୍ମୀ। ମହାପ୍ରଭୁଙ୍କର ଏହି ଅନନ୍ୟ ଲୀଳାକୁ ଦେଖି ସମସ୍ତ ଭକ୍ତ କୃତାର୍ଥ ହୋଇଛନ୍ତି। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ଅଞ୍ଚଳ। ପହଣ୍ଡି ବିଜେ ପୁର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥିଲା । ଠାକୁରମାନେ ପହଣ୍ଡିରେ ଆସିବା ସମୟରେ ମନ୍ଦିର ମଧ୍ୟରେ ଥିବା ଶୁଆଶାରୀ ଦେଉଳରେ ପ୍ରସାଦ ଲାଗି, ଘସା ବିଡିଆ, ମଣୋହି ଓ ବନ୍ଦାପନା ନୀତି ହୋଇଥିଲା।  ଅନ୍ୟପଟେ ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଏହି ଅନନ୍ୟ ଦୁର୍ଲଭ ଦର୍ଶନ ଓ ନୀତିକାନ୍ତିକୁ ଦେଖିବା ସହ ରଥାରୂଢ ବିଗ୍ରହଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମସନ୍ତୋଷ ଲାଭ କରିଛନ୍ତି।

Leave A Reply

Your email address will not be published.