Latest Odisha News

BREAKING NEWS

ମସ୍କୋରେ ମୋଦି କହିଲେ ଜୟ ଜଗନ୍ନାଥ, ଓଡିଶା ସଂସ୍କୃତିର ଜୟ ଜୟକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡିଶା ଓ ଓଡିଶାର ସମୃଦ୍ଧ ସଂସ୍କୃତିର ଜୟ ଜୟକାର । ଓଡିଶାର ସାଂସ୍କୃତିକ ଐତିହ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଋଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମସ୍କୋରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ସଂସ୍କୃତିର ଗୁଣଗାନ କରିଛନ୍ତି । ଏକ ଓଡିଆ ଉତ୍ତରୀୟ ପକାଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ କରି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । ଓଡିଶାର ଗୌରବଶାଳୀ ସାଂସ୍କୃତିକ ଐତିହ୍ୟ ସଂପର୍କରେ କହି ରାଜ୍ୟରେ ବିଜେିପିର ନିର୍ବାଚନୀ ସଫଳତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ପ୍ରଦେଶ ଓ ଓଡିଶାରେ ମଧ୍ୟ ନିର୍ବାଚନ ହୋଇଥିଲା । ଏସବୁ ରାଜ୍ୟରେ ଏନଡିଏ ବିପୁଳ ବିଜୟ ହାସଲ କରିଛି । ଏକ ବିପ୍ଲବର ସୂତ୍ରପାତ କରିଛି ଓଡିଶା । ସେଥିପାଇଁ ସେ ଏକ ଓଡିଆ ଉତ୍ତରୀୟ ପକାଇ କାର୍ଯ୍ୟକ୍ରମକୁ ଆସିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ମୋଦି ରଥଯାତ୍ରାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଓଡିଶାର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ଝଲକ ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ମଧ୍ୟ ଦେଖିବାକୁ ମିଳିଥିଲା । ଅତିଥିମାନଙ୍କ ସ୍ୱାଗତ ସ୍ଥଳରେ ଶୋଭା ପାଉଥିଲା କୋଣାର୍କ ଚକର ପ୍ରତିକୃତି । ଏହି କୋଣାର୍କ ଚକ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ବିଦେଶାଗତ ଅତିଥିମାନଙ୍କୁ ଗ୍ରହଣ କରି କରମର୍ଦ୍ଦନ କରିଥିଲେ ।

୨୦୨୨ରେ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଶିଖର ସମ୍ମିଳନୀ ଅବସରରେ ମଧ୍ୟ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସ୍ମରଣ କରିଥିଲେ । ବାଲିରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଥିଲେ ମୋଦି । ସେତେବେଳେ କଟକରେ ଚାଲିଥିଲା ବାଲିଯାତ୍ରା । କଟକର ବାଲିଯାତ୍ରା କଥା କହି ପ୍ରଧାନମନ୍ତ୍ରୀ ଅତୀତର ଭାରତ-ଇଣ୍ଡୋନେସିଆ ନୌବାଣିଜ୍ୟ ସଂପର୍କ ଉଲ୍ଲେଖ କରିଥିଲେ । ବିଦେଶରେ କଟକର ବାଲିଯାତ୍ରା କଥା କହି ପ୍ରଧାନମନ୍ତ୍ରୀ ଓଡିଶାର ନୌବାଣିଜ୍ୟ ପରମ୍ପରା ମନେ ପକାଇଦେଇଥିବାରୁ ଗର୍ବ ଅନୁଭବ କରିଥିଲେ ଓଡିଶାବାସୀ ।

Comments are closed.