ଜୟପୁର: ରାଜସ୍ଥାନ ଜୟପୁରର ମୁହାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳା ନିଜ ପ୍ରେମୀ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାପରେ ମୃତଦେହକୁ ଜାଳି ଦେଇଛନ୍ତି।
ତେବେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ପତ୍ନୀ ଏବଂ ପ୍ରେମିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମୃତ ଧନ୍ନାଲାଲ ସାଇନି ପରିବା ବିକ୍ରି କରି ନିଜର ପରିବାର ଚଳାଉଥିଲେ। ତାଙ୍କ ସ୍ତ୍ରୀ ଗୋପାଳୀ ଦେବୀ ଗତ ପାଞ୍ଚ ବର୍ଷ ଧରି ଅଭିଯୁକ୍ତ ଦୀନଦୟାଲ ଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଧନ୍ନାଲାଲଙ୍କୁ ନିଜ ସ୍ତ୍ରୀ ଉପରେ ପୂର୍ବରୁ ହିଁ ସନ୍ଦେହ ଥିଲା।
ଯେତେବେଳେ ସେ ୧୫ ମାର୍ଚ୍ଚ, ୨୦୨୫ରେ ସାଗରନଗରରେ ଥିବା ଦୀନଦୟାଲଙ୍କ ଫ୍ୟାଶନ୍ ଦୋକାନରେ ପହଞ୍ଚିଥିଲେ ସେଠାରେ ସେ ଦୁହିଁଙ୍କୁ ଏକାଠି ଦେଖିଥିଲେ। ଏହାପରେ ଦୁହେଁ ଧନ୍ନଲାଲଙ୍କୁ ଷଡ଼ଯନ୍ତ୍ର କରି ଦୋକାନର ଉପରକୁ ନେଇଯାଇଥିଲେ ଓ ସେଠାରେ ଥିବା ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ ଓ ପରେ ବେକକୁ ରଶିରେ ଚିପି ହତ୍ୟା କରିଦେଇଥିଲେ। ହତ୍ୟା ପରେ ଦୁହେଁ ମୃତଦେହକୁ ଏକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି କରି ଦୀନଦୟାଲଙ୍କ ବାଇକ୍ ରେ ସ୍ଥାନୀୟ ଭୈରୁଜୀ ମନ୍ଦିର ନିକଟରେ ଥିବା ଜଙ୍ଗଲକୁ ନେଇଯାଇଥିଲେ। ମୃତକଙ୍କ ପରିଚୟକୁ ଲୁଚାଇବା ପାଇଁ ନିଆଁ ଲଗାଇ ଦେଇଥିଲେ।
ତେବେ ଏହି ମାମଲାର ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ତରଫରୁ ଦାବି କରାଯାଇଛି।