Latest Odisha News

BREAKING NEWS

କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ

ଯାଜପୁର: ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ପେଟକୁ ୨ ଓଳି ୨ ମୁଠା ଦାନା । ଭୋକ ଉପାସରେ ଏକ କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ । ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମରୁ ।

ଏହି ଗାଁର ପରମେଶ୍ୱର ଜେନା ଓ ତାଙ୍କ ପରିବାର । ପରିବାର କହିଲେ ବୁଢୀ ମା, ସ୍ତ୍ରୀ ଓ ୨ ପୁଅ ଝିଅଙ୍କୁ ମିଶାଇ ୫ ପ୍ରାଣି କୁଟୁମ୍ବ । ଏମାନଙ୍କୁ ନେଇ ହସଖୁସିରେ ଚାଲିଥିଲା ତାଙ୍କ ସୁଖର ସଂସାର । ମୂଲ ମଜୁରୀ ଲାଗି ପରମେଶ୍ୱର ଯାହା ଆଣୁଥିଲେ ସେଥିରେ ଚଳିଯାଉଥିଲା ପରିବାର । ହେଲେ ବିଧିର ବିଧାନ ଥିଲା ବଡ ବିଚିତ୍ର । ହଠାତ୍ ଏହି ପରିବାର ଉପରେ ଘୋଟି ଆସିଲା ଦୁଃଖର କଳା ବାଦଲ ।

୨୦୧୬ ମସିହାରେ ପରମେଶ୍ୱର କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଲା । ପରେ ନିଜର ଚିକିତ୍ସା ପାଇଁ ଉପାର୍ଜିତ ଧନ ଓ ଧାର କରଜ କରି ଟଙ୍କା ଖର୍ଚ୍ଚ କରିଦେଲେ । ଦୀର୍ଘ ୫ବର୍ଷ ହେବ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ହାଇଟେକ ମେଡିକାଲରେ ନିଜର ନିୟମିତ ଚିକିତ୍ସା କରାଇ ଏବେ ସେ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଏବେ ଚିକିତ୍ସା ପାଇଁ ହାତରେ କାଣି କୋଉଡି ଟିଏ ବି ନାହିଁ । ଚାଳ ଛପର ଘର ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ସାହାରା ପାଲଟିଛି ଏକ କ୍ୟାବିନ । ରୋଜଗାର ନଥିବାରୁ ଘରେ ଚୁଲି ଜଳିବା ବି ସମ୍ଭବ ହେଉନାହିଁ ।

ସୂଚନା ଅନୁସରର, ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ପରମେଶ୍ୱର ଙ୍କୁ ଏକ ଇନ୍ଦିରା ଆବାସ ଘର ନିର୍ମାଣ ଲାଗି ଅର୍ଥ ଯୋଗାଇ ଦିଆଯାଇଥିଲା । ସରକାରୀ କାର୍ଯ୍ୟାଦେଶ ପାଇବା ପରେ ପରମେଶ୍ୱର ପୂର୍ବରୁ ଥିବା ନିଜ ଚାଳ ଘରଟି ଭାଙ୍ଗି ପକ୍କା ଘର ନିର୍ମାଣ ଆରମ୍ଭ କରିଥିଲେ । ମାତ୍ର କିଛିଦିନ ପରେ ପରମେଶ୍ୱରଙ୍କ ୨ଟି ଯାକ କିଡନୀ ଖରାପ ହୋଇଯାଇଥିବା ଜଣାପଡିଥିଲା । ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବାରୁ ଘର ନିର୍ମାଣ ପାଇଁ ମିଳିଥିବା ଅର୍ଥକୁ ସେ ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିଦେଇଥିଲେ । ଫଳରେ ଘର ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ । ତେବେ ରହିବାକୁ ଜାଗା ନଥିବାରୁ ଏବେ ନିଜ ଗାଁ ମୁଣ୍ଡରେ ଥିବା ଏକ ୫ ଫୁଟିଆ କ୍ୟାବିନ ପାଲଟିଛି ତାଙ୍କର ବାସସ୍ଥାନ।

ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରୋଗାକ୍ରାନ୍ତ ହୋଇ ପଡିଥିବାରୁ ପରିବାରର ରୋଜଗାର ବି ନାହିଁ । ଗ୍ରାମବାସୀଙ୍କ ସହାୟତା ଓ ମାଗିଜାଚି ଓଳିଏ ଖାଇଲେ ଆର ଓଳି ଉପାସ ରହିବାକୁ ପଡୁଛି ଏହି ପରିବାରକୁ । ପରମେଶ୍ୱର ଓ ତାଙ୍କ ପରିବାରର ଏପରି ଦୟନୀୟ ପରିସ୍ଥିତି ଦେଖି ଦୁଃଖପ୍ରକାଶ କରିବା ସହ ଏହି ପରିବାରକୁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.