ପଞ୍ଜାବ: ଆପଣ ଅଧିକାଂଶ ଯାଆଁଳା ପିଲା ଦେଖିଥିବେ । ହେଲେ ବହୁ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖିଛନ୍ତି ? ଏମିତି ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ପିଲା ଯାଆଁଳା । ଏତେ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖି ଶିକ୍ଷକ ଓ ଅନ୍ୟ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ପଞ୍ଜାବର ଜଲନ୍ଧରରେ ରହିଛି ଜଳନ୍ଧର ପୋଲିସ ଡିଏଭି ସ୍କୁଲ । ଏହି ସ୍କୁଲ ଏବେ ଚର୍ଚ୍ଚାରେ । କାରଣ ଏଠାରେ ଅଧିକାଂଶ ପିଲା ଦେଖିବାକୁ ଏକାପରି । ଅର୍ଥାତ୍ ସେମାନେ ଯାଆଁଳା । ସେଠାରେ ତିନି ଯୋଡ଼ି ବି ଅଛନ୍ତି । ଏହି ସ୍କୁଲରେ ପ୍ରାୟ ୭୬ ଜଣ ପିଲା ଦେଖିବାକୁ ଏକାପରି । ଏମାନଙ୍କୁ ଦେଖି ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ସବୁଠୁ ବଡ଼କଥା, ଏଠାରେ ଯଦି କେହି କିଛି ଭୁଲ କରନ୍ତି ସେମାନଙ୍କୁ ଦଣ୍ଡ ମିଳିଥାଏ । ହେଲେ ଏହି ଯାଆଁଳାଙ୍କ ମଧ୍ୟରୁ ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ । କାରଣ ସେମାନଙ୍କ ଚେହେରା ସମାନ ଯୋଗୁ ଶିକ୍ଷକମାନେ ଜାଣି ପାରନ୍ତି ନାହିଁ ।
ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରଶ୍ମୀ ବିଜୟ କହିଛନ୍ତି ଯେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍କୁଲରେ ୭୦ରୁ ଅଧିକ ପିଲା ଦେଖିବାକୁ ପରସ୍ପର ସମାନ, ସେତେବେଳେ ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିଲାଗି ଆମ ସ୍କୁଲ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏତେ ପରିମାଣର ଯାଆଁଳା ପିଲାମାନଙ୍କୁ ଦେଖି ଅନ୍ୟ ଅଭିଭାବକମାନେ ମଧ୍ୟ ଚକିତ ହୋଇଯାଇଥାନ୍ତି । ଆଗକୁ ଲିମ୍କା ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ କରିବେ ବୋଲି କହିଛନ୍ତି ।
Comments are closed.