Latest Odisha News

BREAKING NEWS

ରେକର୍ଡ ଭାଙ୍ଗିବା ପୂର୍ବରୁ ଅବସର !

ଭୁବନେଶ୍ବର : ଲାଗୁଥିଲା ସଚିନ ତେନ୍ଦୁଲକର ଓ ମୁଥିଆ ମୁରଲିଧରନଙ୍କ ରେକର୍ଡ ଭାଙ୍ଗିଦେବେ । ଆଉ ତା’ପରେ କ୍ରିକେଟ୍ ଜଗତରୁ ନେବେ ବିଦାୟ । କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ସୁରକ୍ଷିତ ରହିବ ସଚିନ ଓ ମୁରଲିଧରନଙ୍କ ରେକର୍ଡ । ତେବେ କିଏ ଭାଙ୍ଗିଥାନ୍ତା ଦୁନିଆର ଏହି ଦୁଇ ମହାନ କ୍ରିକେଟରଙ୍କ ଟେଷ୍ଟ ରେକର୍ଡ । ଗୋଟିଏ ପଟେ ସଚିନଙ୍କ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ଏବଂ ଅନ୍ୟପଟେ ମୁରଲିଧରନ ସର୍ବାଧିକ ୱିକେଟ୍ ଟେକର । ସଚିନ ଯେଉଁଠି ଟେଷ୍ଟରେ ୧୫ହଜାରୁ ଅଧିକ ରନ୍ କରିଛନ୍ତି, ମୁରଲି ୮୦୦ ଟେଷ୍ଟ ୱିକେଟ୍ ନେଇଛନ୍ତି । ତେବେ ଜଣେ ଅଲରାଉଣ୍ଡର ହିଁ ଉଭୟ ରେକର୍ଡ ଭାଙ୍ଗିବାକୁ ସମର୍ଥ । କିନ୍ତୁ ଦୁନିଆରେ ବର୍ତମାନ ଏମିତି କେହି ଅଲରାଉଣ୍ଡର ନାହାନ୍ତି, ଯିଏ ଉଭୟ ବ୍ୟାଟ୍ ଓ ବୋଲିଂରେ ଏଭଳି ପ୍ରଦର୍ଶନ ଦେଉଥିବ ।

ସଚିନ ଦୁନିଆର ଏକମାତ୍ର ଖେଳାଳି ଯିଏ ଟେଷ୍ଟରେ ଖେଳିଛନ୍ତି ସର୍ବାଧିକ ୨୦୦ ଟେଷ୍ଟ । ଏହାରି ଭିତରେ ଅନେକ କ୍ରିକେଟ୍‌ର ଆସିଲେଣି ଏବଂ ଗଲେଣି, ହେଲେ କେହିବି ୨୦୦ ଟେଷ୍ଟ ଆଖପାଖରେ ପହଞ୍ଚି ପାରିନାହାନ୍ତି । ତେବେ ଜଣେ କ୍ରିକେଟରଙ୍କ ପାଖରେ ସଚିନଙ୍କ ୨୦୦ ଟେଷ୍ଟ ମ୍ୟାଚ୍ ଓ ମୁରଲିଙ୍କ ୮୦୦ ଟେଷ୍ଟ ୱିକେଟ୍ ନେବାର ସୁଯୋଗ ଥିଲା। ସେ ହେଉଛନ୍ତି ଇଂଲଣ୍ଡର ସର୍ବକାଳୀନ ମହାନ ପେସର୍ ଜେମ୍ସ ଆଣ୍ଡରସନ୍ । ଆଣ୍ଡରସନଙ୍କୁ ବର୍ତମାନ ବୟସ ୪୧ । ଏହି ବୟସରେ ଯେଉଁଠି କ୍ରିକେଟରମାନେ ଅବସର ନେଇ ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ସେହି ସମୟରେ ଆଣ୍ଡରସନ୍ ଏବେବି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଜାରି ରଖିଛନ୍ତି । ଫିଟନେସ ଓ ପ୍ରଦର୍ଶନ ଆଗରେ ଫିକା ପଡ଼ିଛି ଆଣ୍ଡରସନଙ୍କ ବୟସ । ଆଉ ଦୁଇ ମାସ ପରେ ୪୨ ବର୍ଷରେ ପଦାର୍ପଣ କରିବେ । କିନ୍ତୁ ଏହା ପୂର୍ବରୁ ସେ କ୍ରିକେଟ୍ ଦୁନିଆକୁ କହିଦେବେ ଅଲବିଦା ।

ଇଂଲଣ୍ଡ କ୍ରିକେଟ୍ ପକ୍ଷରୁ ଜାରି ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦିଆଯାଇଛି । ପୋଷ୍ଟରେ ଆଣ୍ଡରସନ୍ ଲେଖିଛନ୍ତି, ଜୁଲାଇ ମାସରେ ଲର୍ଡ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । ଯେଉଁ ଲର୍ଡ୍ସରେ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା, ସେହିଠାରେ ହିଁ ବିଦାୟୀ ଟେଷ୍ଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଆଣ୍ଡରସନ୍ । ଆଣ୍ଡରସନଙ୍କ ଅବସର ପରେ ଏବେ ସଚିନଙ୍କ ୨୦୦ ଟେଷ୍ଟ ମ୍ୟାଚ୍ ସୁରକ୍ଷିତ ରହିବ । ଆଣ୍ଡରସନ ଏପର୍ଯ୍ୟନ୍ତ ୧୮୭ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ମଧ୍ୟ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାରେ ଦ୍ୱିତୀୟ । ସେହିପରି ଆଣ୍ଡରସନ୍ ଟେଷ୍ଟରେ ୭୦୦ ୱିକେଟ୍ ନେଇଛନ୍ତି । ତେଣୁ ମୁରଲିଧରନଙ୍କ ୮୦୦ ଟେଷ୍ଟ ୱିକେଟ୍ ରେକର୍ଡ ଭାଙ୍ଗିବା ଅସମ୍ଭବ । ତେବେ ତାଙ୍କ ପାଖରେ ଶେନ୍ ୱାର୍ଣ୍ଣଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ୱାର୍ଣ୍ଣ ୭୦୮ଟି ଟେଷ୍ଟ ୱିକେଟ୍ ନେଇଥିଲେ । ଯଦିଓ ଆଣ୍ଡରସନ୍ ଅବସର ନେଉଛନ୍ତି, କିନ୍ତୁ ୨୧ ବର୍ଷର ଯାତ୍ରା ମଧ୍ୟରେ ସେ ଟେଷ୍ଟ କ୍ରିକେଟ୍‌କୁ ଯେଉଁ ଗୁରୁତ୍ୱ ଦେଇଛନ୍ତି, ହୁଏତ ଦୁନିଆର ଅନ୍ୟ କୌଣସି କ୍ରିକେଟର ତାହା କରିପାରିନାହାନ୍ତି । କାରଣ ଦୀର୍ଘ ୯ ବର୍ଷ ହେଲା ଆଣ୍ଡରସନ୍ କୌଣସି ଦିନିକିଆ କିମ୍ବା ଟି-୨୦ କ୍ରିକେଟ୍ ଖେଳିନାହାନ୍ତି । କେବଳ ଟେଷ୍ଟ କ୍ରିକେଟ୍ ଉପରେ ରହିଥିଲା ତାଙ୍କର ପୂରା ଫୋକସ ।

Leave A Reply

Your email address will not be published.