ଶ୍ରୀନଗର: ତୁଷାରପାତର ପ୍ରଥମ ସ୍ପର୍ଶରେ ଢାଙ୍କି ହୋଇଛି ଜାମ୍ମୁ କାଶ୍ମୀରର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗ । ସତେଜ ତୁଷାରପାତ ସହିତ କାଶ୍ମୀରରେ ପାଣିପାଗ ଅବସ୍ଥା ପୁଣି ବଦଳି ଯାଇଛି। ସୌନ୍ଦର୍ଯ୍ୟର ସାମାହାର ଗୁଲମର୍ଗର ପାର୍ବତ୍ୟ ଅଞ୍ଚଳରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତର ହେଉଛି l ଫଳରେ ହିମ ଚାଦରରେ ଢାଙ୍କି ହୋଇଛି ଗଛଲତା, ଘରଦ୍ବାର, ରାସ୍ତାଘାଟ । ଲାଗୁଛି ଯେମିତି ଧରଣୀରାଣୀ ଶୁଭ୍ର ଚାଦର ଘୋଡ଼େଇ ହୋଇ ଦେଖଣାହାରୀଙ୍କୁ ବିମୋହିତ କରୁଛି ନିଜର ଅପୂର୍ବ ସୌନ୍ଦର୍ଯ୍ୟରେ । ଆହାଃ କି ସୁନ୍ଦର ଏ ଦୃଶ୍ୟ । ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଭାରତର ଏହି ଭୂସ୍ବର୍ଗରେ ବର୍ଷ ତମାମ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ । ଶୀତ ଆଗମନରେ ତୁଷାରପାତର ଭରପୁର ମଜା ନେବାକୁ ଉପତ୍ୟାକାରେ ପହଞ୍ଚିଥାନ୍ତି ପର୍ଯ୍ୟଟକ ।
ତେବେ ଆଜି ସକାଳେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 0.7 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋଫିଆରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 3.9 ଡିଗ୍ରୀ ସେଲସିୟସ୍, ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 3.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି l ଆଂଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ଆସନ୍ତା 4/5 ଦିନ ମଧ୍ୟରେ ଶୀତ ଆହୁରି ବଢିବା ସହ ପ୍ରବଳ ତୁଷାରପାତ ହେବା ନେଇ ସମ୍ଭାବନା ରହିଛି l
ତେବେ ଆସନ୍ତା 24 ନଭେମ୍ବର ପରେ ପାଣିପାଗ ସାମାନ୍ୟତମ ପରିବର୍ତ୍ତନ ହୋଇପାରେ l ଏହି ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଶରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଅଧିକାରୀମାନେ ବିଦ୍ୟୁତ୍ ଏବଂ ଉତ୍ତାପ ଯୋଗାଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ କିଛି ଦିନ ମଧ୍ୟରେ କାଶ୍ମୀର ବିଭାଗର ଅନେକ ଷ୍ଟେସନ ଏବଂ ଜାମ୍ମୁ ଡିଭିଜନର କେତେକ ଷ୍ଟେସନରେ ସର୍ବନିମ୍ନ ତାପମାତ୍ରାର କ୍ରମାଗତ ହ୍ରାସ ପାଉଥିବା ରେକର୍ଡ କରାଯାଇଛି।