Latest Odisha News

ଆମେ ଦୁଇଜଣ ପରସ୍ପର ପାଇଁ କେବେ ମା‘ ତ କେବେ ଛୁଆ ବନି ନିଜକୁ ସମ୍ଭାଳୁଛୁ; ଜାହ୍ନବୀ  

ମୁମ୍ବାଇ; କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ଶୋ’ର ଅତିଥି ଭାବରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ।

 

ନିଜ ମା’ ତଥା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ଦିନକୁ ମନେପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ ଜାହ୍ନବୀ। ଶ୍ରୀଦେବୀଙ୍କ ମୃତ୍ୟୁ ପରେ କିଭଳି ତାଙ୍କ ଜୀବନରେ ସବୁକିଛି ବଦଳି ଯାଇଥିଲା ଏବଂ ସେ ସମୟରେ ଜାହ୍ନବୀ ଓ ଖୁସିଙ୍କ ପ୍ରତିକ୍ରିୟା କିଭଳି ଥିଲା, ତାହା ଜଣାଇଥିଲେ ଜାହ୍ନବୀ।

 

ଜାହ୍ନବୀ କହିଥିଲେ ଯେ, ସେହି ସମୟ ଆମ ପରିବାର ପାଇଁ ସବୁଠାରୁ ଖରାପ ଥିଲା। ଫୋନରେ ମୋତେ ମା’ଙ୍କ ମୃତ୍ୟୁ ଖବର ମିଳିବା ପରେ ମୁଁ କାନ୍ଦି କାନ୍ଦି ଖୁସିର ରୁମ ଆଡ଼କୁ ଦୌଡ଼ିଥିଲି। କବାଟ ବନ୍ଦ ଥିବାରୁ କବାଟ ବାଡ଼େଇ ଜୋ‌ରରେ ଖୁସିକୁ ଡାକିଥିଲି। ତା‘ କାନ୍ଦ ମୋତେ ବାହାରକୁ ଶୁଭୁଥିଲେ ବି ମୋ ପାଟି ଶୁଣି ସେ ଚୁପ ହୋଇଯାଇଥିଲା। ସେ କବାଟ ଖୋଲିବା ପରେ ମୁଁ ତା‘ କୋଳରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲି। ହେଲେ ‌ସେ ଚୁପ ହୋଇ ମୋତେ ‌ସମ୍ଭାଳିଥିଲା।

ଜାହ୍ନବୀ ଶୋ‘ରେ ଆହୁରି ମଧ୍ୟ କହିଥିଲେ, ମା‘ଙ୍କ ମୃତ୍ୟୁ ଖବର ଆମ ସମସ୍ତଙ୍କୁ ଭାଙ୍ଗି ଦେଇଥିଲା। ଖୁସି ମୋତେ  କାନ୍ଦୁଥିବାର ଦେଖି, ନିଜେ ଲୁହ ପୋଛି ମୋ ପାଖରେ ବସି ମୋତେ ସମ୍ଭାଳିଥିଲା। ସେଦିନ ପରଠାରୁ ମୁଁ କେବେ ବି ଖୁସିକୁ ମା‘ଙ୍କ କଥା ମନେପକାଇ କାନ୍ଦିବା ଦେଖିନାହିଁ। ସମୟ ଆସିଲେ, ଆମେ ଦୁଇ ଭଉଣୀଙ୍କୁ ପରସ୍ପର ପାଇଁ କେବେ ଛୁଆ ତ କେବେ ମା‘ ବନିବାକୁ ପଡୁଛି।  

ଏହା ଶୁଣି ଖୁସି କହିଥିଲେ, ସମସ୍ତଙ୍କୁ ଭ‌ାଙ୍ଗିପଡ଼ିବାର ଦେଖି ନିଜକୁ ଦୃଢ଼ କରିବି ବୋଲି ମୁଁ ଭାବିଥିଲି। ପରିବାରକୁ ସମ୍ଭାଳିବା ପାଇଁ ମୋତେ ଦୃଢ଼ ଭାବେ ଛିଡ଼ା ହେବାର ଥିଲା। ସେଥିପାଇଁ ମୁଁ ନ କାନ୍ଦି ଜାହ୍ନବୀଙ୍କୁ ବୁଝାଇଥିଲି।

 

ସୂଚନାଯୋଗ୍ୟ, ଖୁସି କପୁର ଗତବର୍ଷ ଜୋୟା ଅଖତରଙ୍କ ଫିଲ୍ମ ‘ଦ ଆର୍ଚିସ୍‘ ରେ ଡେବ୍ୟୁ କରି ବଲିଉଡରେ ପ୍ରବେଶ କରିଛନ୍ତି। 

Leave A Reply

Your email address will not be published.