Latest Odisha News

ଏଥର କେଉଁ ତାରିଖରେ ପାଳନ କରିବେ ଜନ୍ମାଷ୍ଟମୀ, ଜାଣନ୍ତୁ ପୂଜା ମୁହୂର୍ତ୍ତ

ଭୁବନେଶ୍ୱର: ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥି‌ରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନ କୃଷ୍ଣ ଏହି ଦିନ ଜନ୍ମ ହୋଇଥିଲେ । ଭଗବାନ କୃଷ୍ଣ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର । ତେବେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣ ଲଡୁଗୋପାଳ ରୂପରେ ପୂଜା ପାଆନ୍ତି ।

ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖରେ ସାରା ଦେଶ ପାଳନ କରିବ ଜନ୍ମାଷ୍ଟମୀ । ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖ ଅପରାହ୍ଣ ୩ଟା ୫୫ ମିନିଟରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ଅଗଷ୍ଟ ୨୭ ତାରିଖ ରାତ୍ରି ୩ ଟା ୩୮ ମିନିଟ ପର୍ଯ୍ୟନ୍ତ ପାଳନ କରାଯିବ ଜନ୍ମାଷ୍ଟମୀ । ଏହି ଦିନ ଭଗବାନ କୃଷ୍ଣଙ୍କ ଭକ୍ତମାନେ ଉପବାସ କରି ମନ୍ଦିରକୁ ଯାଇ ତାଙ୍କୁ ପୂଜା କରନ୍ତି । ଏଥର ଅନେକ ସ୍ଥାନରେ ଜନ୍ମାଷ୍ଟମୀ ୨୬ ତାରିଖରେ ପାଳନ କରାଯାଉଥିବା ବେଳେ କିଛି କିଛି ସ୍ଥାନରେ ୨୭ ତାରିଖରେ ମଧ୍ୟ ଜନ୍ମାଷ୍ଟମୀ କରାଯିବ ।

ପୂଜା ବିଧି

ଏହି ପୂଜା ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଯାଇଥାଏ । ସକାଳେ ସ୍ନାନ ପରେ ମନ୍ଦିରରେ କିମ୍ବା ଘରେ ମଧ୍ୟ ଆପଣ ପୂଜା କରିପାରିବେ । ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ । କ୍ଷୀର କିମ୍ବା ଗଙ୍ଗାଜଳରେ ପ୍ରଥମେ ଆପଣ ଭଗବାନଙ୍କୁ ସ୍ନାନ କରାଇପାରିବେ । ଏହାପରେ ଚନ୍ଦନ ସିନ୍ଦୁର ,ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସେଜାଇବେ । କୃଷ୍ଣଙ୍କର ପ୍ରିୟ ଲହୁଣି ଭୋଗ ଦେବାକୁ ଭୁଲିବେ ନାହିଁ । ରାତି ୧୨ଟାରେ ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ପାଇଁ ପୂଜା କରନ୍ତୁ । ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଇ ଗୀତ ସଙ୍ଗୀତ ପରେ ପ୍ରସାଦ ବିତରଣ କରନ୍ତୁ । ତେବେ ଜନ୍ମାଷ୍ଟମୀରେ ସୂର୍ଯ୍ୟ, ସୋମ, ଯମ, କାଳ, ସଂଧି, ଭୂତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦିଙ୍କୁ ନମସ୍କାର କରିବା ଭୁଲନ୍ତୁ ନାହିଁ ।

Comments are closed.