Latest Odisha News

BREAKING NEWS

ଫ୍ଲାଇଟରେ ସବୁଦିନ କଲେଜ ପଢ଼ିବାକୁ ଯାଉଛନ୍ତି ଏହି ଯୁବତୀ: ଖର୍ଚ୍ଚ ହୁଏ ୨୦ ହଜାର ଟଙ୍କା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ସାଧାରଣତଃ ଆପଣ ଛାତ୍ରଛାତ୍ରୀମାନଙ୍କୁ ବସ୍‌, ମେଟ୍ରୋ, ଲୋକାଲ ଟ୍ରେନ୍‌ କିମ୍ବା ନିଜର ଗାଡ଼ିରେ କଲେଜ ଯିବାଆସିବା କରୁଥିବା ଦେଖିଥିବେ। କିନ୍ତୁ କେବେ ଶୁଣିଛନ୍ତି କି କେହି ବିମାନରେ କଲେଜ ଯାଉଛି? ଜାପାନର ୨୨ ବର୍ଷୀୟ ଯୁଜୁକି ନାକାଶିମା ନାମକ ଜଣେ ଯୁବତୀ ଏଥଇପାଇ ଇଣ୍ଟରନେଟରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଯୁଜୁକି ପ୍ରତିଦିନ ବିମାନରେ କଲେଜ ଯାଉଛ୍ତି, ଯାହା ପାଇଁ ସେ ଦୈନିକ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ। ଆସନ୍ତୁ ଜାଣିବା ସେ ଏପରି କାହିଁକି କରୁଛନ୍ତି।

ଯୁଜୁକି ଜାପାନର ଫୁକୁଓକାରେ ଅବସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଛାତ୍ରୀ। ଏହି ବିଶ୍ୱବିଦ୍ୟାଳୟ ତାଙ୍କ ଟୋକିଓସ୍ଥିତ ଘରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ। ତଥାପି, ସେ ଗୋଟିଏ ବି କ୍ଲାସ୍‌ ମିସ୍‌ କରନ୍ତି ନାହିଁ ଓ ପ୍ରତିଦିନ ଚାରି ଘଣ୍ଟାର ବିମାନ ଯାତ୍ରା କରି କଲେଜ ଆସନ୍ତି। ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଯୁଜୁକି ଫୁକୁଓକାରେ ରହି ପାରନ୍ତେ, କାହିଁକୁ ସବୁଦିନ ବିମାନରେ ଯାଉଛନ୍ତି?

ପ୍ରକୃତରେ, ଯୁଜୁକି ଜଣେ ପେଶାଦାର ପପ୍‌ ଗାୟିକା ଏବଂ ଜାପାନର ଲୋକପ୍ରିୟ ଗାର୍ଲ ଗ୍ରୁପ୍‌ ‘ସାକୁରାଜାକା ୪୬’ର ଜଣେ ସଦସ୍ୟ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତାଙ୍କର କ୍ୟାରିୟର କାରଣରୁ ସେ ଟୋକିଓରେ ରହନ୍ତି। ଏକାସାଙ୍ଗରେ ସେ ଜଣେ କଲେଜ ଛାତ୍ରୀ ମଧ୍ୟ, ଏବଂ ସେ ଚାହାନ୍ତି ନାହିଁ ଯେ ତାଙ୍କର କ୍ୟାରିୟର ତାଙ୍କ ଶିକ୍ଷାରେ ବାଧା ସୃଷ୍ଟି କରୁ।

ନିକଟରେ ତାଙ୍କର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏକ ଭ୍ଲଗ୍‌ରେ ସେ ଖୁଲାସା କରିଛନ୍ତି ଯେ ସେ ପଢ଼ା ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ଉପାୟ ଖୋଜି ପାଇଛନ୍ତି। ସେ କହିଛନ୍ତି ଯେ ସେ ପ୍ରତିଦିନ ଟୋକିଓରୁ ଫୁକୁଓକା ମଧ୍ୟରେ ଚାରି ଘଣ୍ଟାର ବିମାନ ଯାତ୍ରା କରନ୍ତି, ଯାହାଦ୍ୱାରା ସେ କଲେଜର କ୍ଲାସ୍ ଆଟେଣ୍ଡ କରିପାରନ୍ତି।

ଯୁଜୁକିଙ୍କ ଦୈନନ୍ଦିନ ଜୀବନ
ଯୁଜୁକି କହିଛନ୍ତି ଯେ ତାଙ୍କ ଦିନ ସକାଳ ୫ଟାରେ ଆରମ୍ଭ ହୁଏ। ତା’ପରେ ସକାଳ ୬ଟାରେ ଫୁକୁଓକାର ପ୍ରଥମ ଫ୍ଲାଇଟ୍‌ ଧରିବା ପାଇଁ ସେ ଟୋକିଓର ହାନେଡା ବିମାନବନ୍ଦରରେ ପହଞ୍ଚନ୍ତି। ସକାଳ ୯.୩୦ରେ ଫୁକୁଓକାର କିତାକିୟୁଶୁ ବିମାନବନ୍ଦରରେ ପହଞ୍ଚିବା ପରେ ସେ କ୍ୟାମ୍ପସ୍‌ ପାଇଁ ବସ୍‌ ଧରନ୍ତି। ସେ କହିଛନ୍ତି ଯେ ତାଙ୍କର ଅଧିକାଂଶ ସମୟ ବିମାନ ଯାତ୍ରାରେ ବିତୁଥିବାରୁ ସେ ଏହି ସମୟରେ ନିଜର ହୋମ୍‌ୱାର୍କ ମଧ୍ୟ ସାରିଦିଅନ୍ତି।

ଖର୍ଚ୍ଚର ହିସାବ
‘ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ଯୁଜୁକିଙ୍କର ଏହି ‘ସୁପରକମ୍ୟୁଟିଂ’ ଜୀବନଶୈଳୀ ମୋଟେ ଶସ୍ତା ନୁହେଁ। ତାଙ୍କର ଯାତ୍ରା ଖର୍ଚ୍ଚ ୧୫,୦୦୦ ୟେନ୍‌ (ପ୍ରାୟ ୯,୦୦୦ ଟଙ୍କା)ରୁ ଅଧିକ। ଏହି ହିସାବରେ ସେ ପ୍ରତିଦିନ କେବଳ କଲେଜ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଘରକୁ ଫେରିବା ପରେ ମଧ୍ୟ ସେ ବିଶ୍ରାମ ନିଅନ୍ତି ନାହିଁ। ସନ୍ଧ୍ୟାରେ ଅଧିକାଂଶ ସମୟ ସେ ନୃତ୍ୟ ଓ ରିୟାଜ୍‌ରେ ବିତାନ୍ତି। ଆଶ୍ଚର୍ଯ୍ୟର କଥା, ଗତ ଚାରି ବର୍ଷ ଧରି ଯୁଜୁକିଙ୍କର ଏହା ଦୈନନ୍ଦିନ ନିୟମ ହୋଇଛି।

ଯୁଜୁକିଙ୍କର ଏହି ଅନନ୍ୟ ଜୀବନଶୈଳୀ ଏବଂ କଠୋର ପରିଶ୍ରମ ତାଙ୍କୁ ଶିକ୍ଷା ଓ କ୍ୟାରିୟରରେ ସଫଳତାର ସହ ସୋସିଆଲ ମିଡିଆରେ ମଧ୍ୟ ଏକ ପ୍ରେରଣାଦାୟୀ ଚର୍ଚ୍ଚାର ବିଷୟ କରିଛି।

 

Comments are closed.