Latest Odisha News

୧୨ ବର୍ଷ ହେଲା ଦିନକୁ ଅଧଘଣ୍ଟା ଶୋଉଛନ୍ତି ଏହି ବ୍ୟବସାୟୀ

ଜଣେ ସାଧାରଣ ବ୍ୟକ୍ତି ଦିନକୁ କେତେ ଘଣ୍ଟା ଶୁଅନ୍ତି ? ଏହାର ଉତ୍ତର ଆମେ ୫ ଘଣ୍ଟା, ୬ ଘଣ୍ଟା, ୭ ଘଣ୍ଟା ବା ୮ ଘଣ୍ଟା ବୋଲି କହୁ। ଆଉ ଆମ ଶରୀର ସୁସ୍ଥ ରହିବା ପାଇଁ ଅତିକମରେ ୬ ଘଣ୍ଟାର ନିଦ ଆବଶ୍ୟକ। କିନ୍ତୁ ଜାପାନର ଜଣେ ବ୍ୟକ୍ତି ବିଗତ ୧୨ ବର୍ଷ ହେଲା ପୂରା ଦିନରେ ମାତ୍ର ୩୦ ମିନିଟ୍ ଶୋଉଛନ୍ତି। ଆଉ ଏଭଳି କରି ସେ ନିଜକୁ ଚଳଚଞ୍ଚଳ ରଖିବା ସହିତ ତାଙ୍କ କାର୍ଯ୍ୟ ଦକ୍ଷତାକୁ ବଢ଼ାଇ ପାରିଛନ୍ତି।

୪୦ ବର୍ଷୀୟ ଜୟସୁକେ ହୋରିଙ୍କ କହିବା କଥା ହେଲା, ସେ ନିଜ ଶରୀର ଓ ମସ୍ତିଷ୍କକୁ ଏଭଳି ଭାବେ ତାଲିମ ଦେଇଛନ୍ତି ଯେ ତାଙ୍କୁ ଅଧିକ ନିଦର ଆବଶ୍ୟକତା ପଡୁନାହିଁ। କାର୍ଯ୍ୟ କରିବା ଲାଗି ନିଜର କ୍ଷମତା ବୃଦ୍ଧି ପାଇଁ ସେ ଏପରି କରିଥିବା ପ୍ରକାଶ କରିଛନ୍ତି। ହୋରି ଜଣେ ବ୍ୟବସାୟୀ। ସପ୍ତାହକୁ ୧୬ ଘଣ୍ଟା ସେ ଜିମ୍‌ରେ କଟାନ୍ତି। ୧୨ ବର୍ଷ ପୂର୍ବେ ସେ କମ୍ ଶୋଇବା ଅଭ୍ୟାସ ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ଏହାକୁ ୩୦ରୁ ୪୫ ମିନିଟ୍‌କୁ ହ୍ରାସ କରିବାରେ ସଫଳ ହୋଇଥିଲେ।

ସେ କହନ୍ତି, ଭଲ ନିଦ ହେବା ଜରୁରୀ। ଅଧିକ ସମୟ ଶୋଇବା ଜରୁରୀ ନୁହେଁ। ଭଲ ନିଦ ହେଲେ ଜଣେ କର୍ମତତ୍ପର ହେବ ଓ ତାଙ୍କର କାର୍ଯ୍ୟ ଦକ୍ଷତା ବଢ଼ିବ। ଉଦାହରଣ ସ୍ୱରୂପ- ଡାକ୍ତର ଓ ଅଗ୍ନିଶମ କର୍ମଚାରୀମାନଙ୍କ ବିଶ୍ରାମ ସମୟ ବହୁତ ଅଳ୍ପ। କିନ୍ତୁ ସେମାନେ ଚଳଚଞ୍ଚଳ ଥାଆନ୍ତି ଓ ସେମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ଉତ୍ତମ ରହେ। ୨୦୧୬ରେ ଜାପାନରେ ଶର୍ଟ ସ୍ଲିପର୍ସ ଟ୍ରେନିଂ ଆସୋସିଏସନ୍ ଆରମ୍ଭ କରିଥିଲେ। ସେଠାରେ ସେ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ନିଦ ସହ ଜଡ଼ିତ ଶିକ୍ଷା ଦେଇଥାନ୍ତି।

ଜାପାନର Yomiuri TV ଡାଇସୁକେ ହୋରୀଙ୍କୁ ରିୟଲିଟି ଶୋ’ ‘ଉଇଲ ୟୁ ଗୋ ୱିଥ୍ ମିଁ’ରେ ସାମିଲ କରିଥିଲା। ହୋରିଙ୍କ ଦାବି ସତ ନା ନୁହେଁ ପରୀକ୍ଷା କରିବା ପାଇଁ ତାଙ୍କୁ ଏହି ରିୟଲିଟି ଶୋ’ରେ ସାମିଲ କରାଯାଇଥିଲା। ଏହି ଶୋ’ ବେଳେ ଦେଖିବାକୁ ମିଳିଥିଲା ଯେ ଡାଇସୁକେ ହୋରି ଦିନକୁ ମାତ୍ର ୨୬ ମିନିଟ୍ ଶୋଉଥିଲେ। ଉଠିବା ବେଳେ ସେ ଖୁବ୍ ସତେଜ ଦେଖାଯାଉଥିଲେ। ଏମିତିକି ମାତ୍ର ୨୬ ମିନିଟ୍‌ ଶୋଇ ଉଠିବା ପରେ ସେ ଜିମ୍‌ରେ ବେଶ୍ ଆରମରେ ଝାଳ ବୁହାଉଥିଲେ। ସେ କ୍ଳାନ୍ତ ଅନୁଭବ କରୁ ନଥିଲେ। ଡାକ୍ତରମାନେ ଜଣେ ସାଧାରଣ ଲୋକ ପାଇଁ ପ୍ରତିଦିନ ୬-୮ ଘଣ୍ଟାର ନିଦ ଜରୁରି ବୋଲି କହିଥାନ୍ତି।

Comments are closed.