Latest Odisha News

BREAKING NEWS

ମହାଭୂକମ୍ପ ଆଶଙ୍କାରେ ଆତଙ୍କିତ ଜାପାନ

ନୂଆଦିଲ୍ଲୀ: ଭୂକମ୍ପ ପ୍ରବଣ ଜାପାନରେ ଏବେ ଭୟ ଓ ଆତଙ୍କ । ଲୋକେ ଆତଙ୍କିତ ହେବାର କାରଣ ହେଉଛି ମେଗା କ୍ୱେକ୍ ବା ମହାଭୂମିକମ୍ପର ଚେତାବନୀ । ଏହି ମେଗାକ୍ୱେକ୍ ଆଶଙ୍କା ଲୋକଙ୍କୁ ଡରାଇ ଦେଇଛି । ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ମେଗା କ୍ୱେକ୍ ନେଇ ଭୂକମ୍ପ ବିଜ୍ଞାନୀଙ୍କ ଚେତାବନୀ ପରେ ସମସ୍ତେ ସତର୍କ । ଏପରିକି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କେନ୍ଦ୍ରୀୟ ଏସିଆ ଗସ୍ତ ବାତିଲ କରିଦେଇଛନ୍ତି । ଗୁରୁବାର ୭ ଦଶମିକ ୧ ତୀବ୍ରତାର ଭୂମିକମ୍ପରେ ଥରିଉଠିଥିଲା ଜାପାନର ଦକ୍ଷିଣ-ପଶ୍ଚିମାଂଚଳ । ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ସତର୍କତା ଜାରି କରାଯିବା ସହ ଦିଆଯାଇଥିଲା ପରେ ମେଗା କ୍ୱେକ୍ ଚେତାବନୀ । ପ୍ରଥମ ଥର ପାଇଁ ଦେଶରେ ମେଗା କ୍ୱେକ୍ ବା ମହା ଭୂକମ୍ପର ଚେତାବନୀ ଜାରି କରିଛି ଜାପାନର ପାଣିପାଗ ସଂସ୍ଥା । ଭବିଷ୍ୟତରେ କେବେ ବି ମେଗା କ୍ୱେକ୍ ବା ମହାଶକ୍ତିଶାଳୀ ଭୂମିକମ୍ପ ଜାପାନରେ ଅନୁଭୂତ ହୋଇପାରେ ବୋଲି ଚେତାଇ ଦେଇଛନ୍ତି ବୈଜ୍ଞାନିକ ।

ଜାପାନରେ ପ୍ରତି ଦିନ ଛୋଟ ବଡ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୁଏ, ଯାହା କି ସାଧାରଣ କଥା । କିନ୍ତୁ ଗୁରୁବାର ଦିନ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଂଚଳରେ ଶକ୍ତିଶାଳୀ ଭୂମିକମ୍ପ ଅସାଧାରଣ ଥିଲା ବୋଲି ପ୍ରଭାବିତ ଅଂଚଳର ଲୋକେ କହିଛନ୍ତି । ଭୂମିକମ୍ପର ଅଧଘଂଟା ପରେ ସମୁଦ୍ରରେ ବିଶାଳ ଜୁଆର ବି ଉଠିଥିଲା । ସୁନାମୀ ସତର୍କତା ଜାରି କରିବା ସହ ଲୋକଙ୍କୁ ତୁରନ୍ତ ପ୍ରଭାବିତ ଅଂଚଳରୁ ବାହାରିଯିବା ପାଇଁ ଆଡଭାଇଜରି ଜାରି କରିଥିଲା ଜାପାନ ପାଣିପାଗ ବିଭାଗ ।

ଗୁରୁବାରର ଶକ୍ତିଶାଳୀ ଭୂମିକମ୍ପରେ କ୍ଷୟକ୍ଷତି କିଛି ହୋଇନାହିଁ । ୮ ଜଣ ଆହତ ହୋଇଛନ୍ତି । କିନ୍ତୁ ଭବିଷ୍ୟତରେ ଏକ ମେଗା ଭୂକମ୍ପର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜାପାନ ଲୋକଙ୍କୁ କହିଛି ପାଣିପାଗ ବିଭାଗ । ମେଗା କ୍ୱେକ୍ ବା ମହାଭୂକମ୍ପ ଆସିଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡିବ । ଅଦ୍ଭୂତପୂର୍ବ କ୍ଷୟକ୍ଷତି ହେବ । ନାନକାଇ ଟ୍ରଫ ମେଗା ଭୂକମ୍ପର କେନ୍ଦ୍ର ସ୍ଥଳ ହୋଇପାରେ ବୋଲି ବୋଲି ଜରୁରୀକାଳିନ ବୁଲେଟିନ ଜାରି କରିଛି ଜାପାନ ପାଣିପାଗ ବିଭାଗ । ସାରାଦେଶ ପାଇଁ ମେଗାକ୍ୱେକ୍ ଆଲର୍ଟ ଜାରି କରିଛନ୍ତି ଜାପାନ ସରକାର ।

୨୦୧୧ରେ ଜାପାନରେ ଉତ୍ତ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ତାଣ୍ଡବ ରଚିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୯ରୁ ୯ ଦଶମିକ ୧ ମଧ୍ୟରେ ଥିଲା । ଭୂକମ୍ପ ପରେ ସୁନାମୀ ଆସିଥିଲା । ବ୍ୟାପକ ଧନଜୀବନ ହାନି ହୋଇଥିଲା । ପାଖାପାଖି ୨୦ ହଜାର ଲୋକ ପ୍ରାଣ ହରାଇଥିଲେ । ବୈଜ୍ଞାନିକଙ୍କ ଅନୁସାରେ ମେଗା କ୍ୱେକ୍‌ର ସଂଖ୍ୟା ବହୁତ କମ୍ । ବହୁବର୍ଷ ବ୍ୟବଧାନରେ ମେଗା କ୍ୱେକ୍ ଆସେ ।

 

Comments are closed.