Latest Odisha News

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍ ନେତା ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ବରଗଡ ସାଂସଦ ସୁରେଶ ପୂଜାରୀ ଏକାଠି ଏକ ସଭାରେ ଯୋଗ ଦେଇ ସମ୍ବୋଧନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେହିପରି ଆସନ୍ତାକାଲି କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ପଦ୍ମପୁରର ଝାରବନ୍ଧ ବ୍ଲକର ବିଳାସପୁରରେ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ଅନ୍ୟମାନେ ମଧ୍ୟ ଏହି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ।

ଶନିବାର ସାଧାରଣ ସଭାରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ବୈଜୟନ୍ତ ପଣ୍ଡା ‘ଡବଲ ଇଞ୍ଜିନ ସରକାରର ଆବଶ୍ୟକତା’ କହି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। କେନ୍ଦ୍ରର ଅନେକ ଯୋଜନା ରହିଛି। ହେଲେ ପଶ୍ଚିମ ଓଡ଼ିଶାବାସୀ ଏହି ଯୋଜନାର ଲାଭ ପାଇପାରୁ ନାହାନ୍ତି। ଏଥିପାଇଁ ରାଜ୍ୟ ସରକାର ଗୋଟିଏ ବଡ ପ୍ରତିବନ୍ଧକ ସାଜୁଛନ୍ତି ବୋଲି କେନ୍ଦ୍ରାପଡାର ପୂର୍ବତନ ସାଂସଦ କହିଛନ୍ତି।

ସେହିପରି ସମ୍ବିତ ପାତ୍ର କହିଛନ୍ତି, ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ବିଜୟ ହେବ। ଆଉ ଏହା ଏକ ଇତିହାସ ରଚିବ । ପରେ ଦେଶ ପୁଣି ଥରେ ଦୀପାବଳି ଓ ହୋଲି ପାଳନ କରିବ। ପଦ୍ମପୁରରେ ପଦ୍ମ ଫୁଟିବ ବୋଲି ସେ ବିଶ୍ବାସ ରଖିଥିବା କହିଛନ୍ତି। ପଦ୍ମପୁର ନାମରେ ପଦ୍ମ ରହିଛି। ପଦ୍ମ ଆମ ରକ୍ତରେ, ଆମ ଆତ୍ମାରେ ରହିଛି। ତେଣୁ ପଦ୍ମପୁରରେ ବିଜେପି ସୁନିଶ୍ଚିତ ବିଜୟୀ ହେବ ବୋଲି ସମ୍ବିତ ପାତ୍ର କହିଛନ୍ତି। ଏଥିସହ ଚାଷୀ, ଜଳସେଚନ ଏବଂ ଦାଦନ ଶ୍ରମିକଙ୍କ ଉପରେ ଗୁରୁତ୍ୱ ଦେଇ ଭୋଟ୍ ଭିକ୍ଷା କରିଥିଲେ।

Comments are closed.