Latest Odisha News

BREAKING NEWS

କବି ଜୟନ୍ତଙ୍କ ଶେଷଇଚ୍ଛା.. ମୋର ସବୁ ଲେଖା ପୋତିଦେବ.. ମୃତ୍ୟ ପରେ ଯଥା ଶୀଘ୍ର ଶେଷକୃତ୍ୟ ସମ୍ପନ୍ନ କରିବ

କଟକ: ନୀରବି ଯାଇଛି ଚନ୍ଦ୍ରଭାଗା  । ସବୁଦିନ ପାଇଁ ଚନ୍ଦ୍ରଭାଗାର ମୋହ ଛାଡି ଖାନନଗରକୁ ଆପଣେଇ ନେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର । ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଚନ୍ଦ୍ରଭାଗା ହେଉଛି ସ୍ୱର୍ଗତ କବିଙ୍କର ବାସଭବନ । ଏଠି ଏକପ୍ରକାର ନିଃସଙ୍ଗ ଜୀବନ ଜିଉଁଥିଲେ ଜୟନ୍ତ ମହାପାତ୍ର । ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କର ୨୦୦୮ରେ ପରଲୋକ ହୋଇଯାଇଥିଲା । ସେହିପରି ସିଙ୍ଗାପୁରରେ ରହୁଥିବା ପୁଅ ମୋହନ ମହାପାତ୍ରଙ୍କର ମଧ୍ୟ ୨୦୧୭ରେ ଅକାଳ ମୃତ୍ୟୁ ଘଟିଥିଲା ।  ଏଇ ‘ଚନ୍ଦ୍ରଭାଗା’ରେ ନିଜ ଶୁଭେଚ୍ଛୁ, ପ୍ରଶଂସଙ୍କ ଗହଣରେ ସାହିତ୍ୟ ଚର୍ଚ୍ଚାରେ  ତାଙ୍କର କଟୁଥିଲା ଦିନ ।

ମୃତ୍ୟୁ ପୂର୍ବରୁ କବି ଜୟନ୍ତ ଲେଖି ଯାଇଥିଲେ ତାଙ୍କର ଶେଷ ଇଚ୍ଛା । ୨୦୦୮ରେ କବି ମୋ ଶେଷ ଇଚ୍ଛା ଲେଖି ଯାଇଥିଲେ । ଇଂରାଜୀରେ My Last wishରେ ସେ  ୩ଟି କଥା ଲେଖିଥିଲେ । ଏହି ଶେଷ ଇଚ୍ଛାକୁ ସେ ସାହିତ୍ୟିକା ସୁସ୍ମିତା ରଥଙ୍କୁ ଦେଇଥିଲେ । ଏହି ଶେଷ ଇଚ୍ଛାରେ ସେ ଲେଖି ଯାଇଥିଲେ, ‘ମୋର ମରଶରୀର ଖାନନଗରର ବିଦ୍ୟୁତ ଚୁଲାରେ ଦାହ ହେବ । ଏହା ପୋତା ଯିବ ନାହିଁ । ମୋ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ ବା ଆମ୍ବୁଲାନ୍ସରେ ଖାନନଗର ନିଆଯିବ । ମୃ୍ତ୍ୟୁ ପରେ ଯେତେ ଶିଘ୍ର ସମ୍ଭବ ମୋର ଶେଷ କୃତ୍ୟ ସମ୍ପନ୍ନ କରାଯିବ ।’

୨ୟ ଇଚ୍ଛାରେ ସେ ଲେଖି ଯାଇଥିଲେ, ‘ଆମ ବର୍ତ୍ତମାର ଜମିର ଦକ୍ଷିଣ ପଶ୍ଚିମ ଦିଗରେ  ୨୦ ଫୁଟରେ ୨୦ ଫୁଟ ଜମିକୁ ଶ୍ରୀମତି ଜେ ସରୋଜିନୀଙ୍କୁ ଦିଆଯିବ  ଯିଏ କି ୩୫ ବର୍ଷ ଧରି ବିଶ୍ୱସନୀୟତାର ସହ ମୋର ସେବା କରି ଆସିଛନ୍ତି । ମୁଁ, ମୋର ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଏବଂ ପୁଅ ମୋହନ ମହାପାତ୍ର ଏକାଠି ବସି ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିଲୁ ।’

ତୃତୀୟ ଶେଷ ଇଚ୍ଛାରେ କବି ଲେଖି ଯାଇଛନ୍ତି, ‘ମୋର ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସମ୍ପୂର୍ଣ୍ଣ ପାଣ୍ଡୁଲିପି ମୋର ମୃତ୍ୟୁ ପରେ ପୋତି ଦିଆଯିବ ।’

 

Leave A Reply

Your email address will not be published.