ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା। ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ଯାଜପୁର କୁଆଖିଆ ପୋଲିସ୍। ଆଜି ହେଉଛି ରିମାଣ୍ଡ ର ୨ୟ ଦିନ।
ତେବେ ଆଜି ଦ୍ଵିତୀୟ ଦିନର ରିମାଣ୍ଡରେ ଅଭିଯୁକ୍ତ ରାକେଶକୁ ପୋଲିସ ଅଧିକ ଜେରା କରିବା ସହ ତଦନ୍ତ ସାପେକ୍ଷ ସମସ୍ତ ଦିଗ ଉପରେ ନଜର ରଖିବା ବୋଲି ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ।
ଗତକାଲି ପ୍ରଥମ ଦିନରେ ଅଭିଯୁକ୍ତ ରାକେଶକୁ ଜେଲରୁ ଅଣାଯାଇ ମେଡିକାଲ ଟେଷ୍ଟ କରାଯିବା ପରେ କୁଆଖିଆ ଥାନାକୁ ଅଣାଯାଇଥିଲା। ପରେ ଦିନ ତମାମ ରାକେଶକୁ ଥାନାରେ ଜେରା କରାଯିବା ପରେ ତାଙ୍କୁ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ନିଆଯାଇଥିଲା। ସେଠାରେ ମଧ୍ୟ ରାକେଶ କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରାଯାଇଥିବା ବେଳେ ଝରାଫୁଲଙ୍କ ମୋବାଇଲ ଫୋନ କେଉଁ ସ୍ଥାନରେ ପକାଇଛି, ସେ ସ୍ଥାନ ମଧ୍ୟ ଚିହ୍ନଟ କରିଥିଲା।
ତେବେ ବୋହୁ ଖୋଜାଖୋଜି ପରେ ବି ମୋବାଇଲ ଫୋନ ଟି ଏଯାଏଁ ମିଳିନାହିଁ। ସେପଟେ ରାକେଶ କୁ କ୍ରାଇମ ସ୍ପଟରୁ ପୁଣି କୁଆଖିଆ ଥାନାକୁ ଅଣାଯାଇ ରାତି ପର୍ଯ୍ୟନ୍ତ ପଚରାଉଚରା ଜାରି ରହିଥିଲା ।
ଅନ୍ୟପଟେ ଗତକାଲି ମଧ୍ୟାହ୍ନରେ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଓ ଭାଇ କୁଆଖିଆ ଥାନାରେ ପହଞ୍ଚିଥିଲେ । ପୋଲିସ୍ ଡାକରାରେ ସେ ଥାନାକୁ ଆସିଥିବା କହିଥିଲେ । ପୋଲିସ ତାଙ୍କୁ ମଧ୍ୟ ବହୁ ସମୟ ଧରି ପଚରାଉଚରା କରିବା ପରେ ତାଙ୍କ ମୋବାଇଲ ଫୋନ ରଖି ସନ୍ଧ୍ୟାରେ ଛାଡ଼ି ଦେଇଥିଲା।
ଏହାରି ଭିତରେ ଝରାଫୁଲ ଓ ରାକେଶ ରାତି ବିତାଇଥିବା ଭୁବନେଶ୍ବର ଧର୍ମବିହାର ସ୍ଥିତ ଗେଷ୍ଟ ହାଉସର ୩ ଜଣ କର୍ମଚାରୀ ମଧ୍ୟ କୁଆଖିଆ ଥାନାରେ ହାଜର ହୋଇଥିଲେ। ଏଥିରେ ୨ ଜଣ ମହିଳା ଓ ଜଣେ ପୁରୁଷ କର୍ମଚାରୀ ଥିଲେ। ବହୁ ସମୟ ଧରି ସେମାନଙ୍କୁ ପଚରାଉଚରା କରାଯିବା ପରେ ପୋଲିସ ତାଙ୍କୁ ଛାଡିଥିଲା।
Comments are closed.