Latest Odisha News

ସଂକଟରେ ସୋରେନ ସରକାର, ବସରେ ଅନ୍ୟତ୍ର ସିଫ୍ଟ ହେଲେ ବିଧାୟକ

ରାଞ୍ଚି: ସଂକଟରେ ସୋରେନ ସରକାର । ଲଗାତାର ଦ୍ୱିତୀୟ ଦିନ ବିଧାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ସମସ୍ତ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ୍ କରାଯାଇଛି । ବସରେ ୟୁପିଏ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟ ବାହାରକୁ ନେଇଛନ୍ତି । ବିଶେଷକରି ଛତିଶଗଡ଼ ସିଫ୍ଟ କରିଥିବା ଆକଳନ କରାଯାଉଛି ।

ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ବିଧାୟକମାନଙ୍କୁ ସେଠାକୁ ନିଆ ଯାଇଥାଇ ପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକମାନଙ୍କୁ ଖୁଣ୍ଟିର ଏକ ରିସର୍ଟକୁ ନିଆଯାଇଛି । ମେଣ୍ଟର ସମସ୍ତ ବିଧାୟକ ଗୋଟିଏ ସ୍ଥାନରେ ଅଛନ୍ତି । ଆଜି ରାତି ୮ଟା ୩୦ରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ।

ସୋରେନ ସରକାର ସକଂଟରୁ ବର୍ତ୍ତିବା ଲାଗି ଆଗୁଆ ବିଧାୟକମାନଙ୍କୁ ସିଫ୍ଟ କରିଛନ୍ତି । ଯଦି ପରେ ବହୁମତ ସାବ୍ୟସ୍ତ କରିବାର ଆବଶ୍ୟକତା ପଡ଼େ ତ ତା’ପୂର୍ବରୁ ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇ ପାରିବ । ଏହାପରେ ସେମାନଙ୍କୁ ରାଞ୍ଚି ଅଣାଯାଇ ପାରିବ । ତେଣୁ ଏବେ କୁହା ଯାଇପାରିବ ନାହିଁ ବିଧାୟକମାନେ କେତେଦିନ ରାଞ୍ଚି ବାହାରେ ରହିବେ ।

କଂଗ୍ରେସ ଘୋଡ଼ା ବେପାରରୁ ବର୍ତ୍ତିବା ଲାଗି ଦଳର ବିଧାୟକଙ୍କୁ ନିଲମ୍ବିତ କରିଛି । ସେପ୍ଟେମ୍ବର ୧ ସୁଦ୍ଧା ନିଲମ୍ବିତ ବିଧାୟକଙ୍କୁ ଉତ୍ତର ରଖିବାକୁ କୁହା ଯାଇଛି । ଯଦି ନିଲମ୍ବିତ ବିଧାୟକ ଫ୍ଲୋର ଟେଷ୍ଟରେ ମେଣ୍ଟ ସରକାରକୁ ଭୋଟ୍ ନଦେବେ ତେବେ ସେମାନଙ୍କ ବିଧାୟକ ପଦ ଚାଲିଯିବ ।

Leave A Reply

Your email address will not be published.