Latest Odisha News

BREAKING NEWS

ଇଏ ବି ଜଣେ ଭକ୍ତ, ପ୍ରଭୁ ରାମଙ୍କ ପାଇଁ ୩୦ବର୍ଷ ମୌନବ୍ରତରେ ୮୫ ବର୍ଷୀୟା ବୃଦ୍ଧା

ଅଯୋଧ୍ୟା: ଭଗବାନଙ୍କ ଭାବରେ ବନ୍ଧା ଭକତ । ଶ୍ରୀରାମଙ୍କ ନାମକୁ ମନରେ ସୁମରଣା ନକଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ କଥା କହିପାରନ୍ତି ନି କିନ୍ତୁ ନିଷ୍ଠାର ସହ ମନେ ମନେ ପ୍ରଭୂ ଗୁଣଗାନ କରନ୍ତି । ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ମାତା ଶବରୀ । ମାତା ଶବରୀ ସିନା ଅଇଁଠା କୋଳି ଦେଇ ପ୍ରଭୁ ରାମଙ୍କ ଦର୍ଶନ ପାଇ ଧନ୍ୟ ହେଇଯାଇଥିଲା । କିନ୍ତୁ ଆଙ୍କ ପାଖରେ ଦବାକୁ କିଛି ବି ନାହିଁ । କିନ୍ତୁ ତାଙ୍କର ଅପେକ୍ଷାର ଫଳ ଶେଷରେ ତାଙ୍କୁ ଖୁବ୍ ଶିଘ୍ର ମିଳିବାକୁ ଯାଉଛି ।

ଆସନ୍ତା ଜାନୁଆରୀ ୨୨ ତାରିଖ ଭାରତ ପାଇଁ ହେବ ଏକ ଐତିହାସିକ ଦିନ । ସବୁ ଭାରତୀୟଙ୍କ ମନରେ ଯୁଗ ଯୁଗକୁ ସ୍ମରଣୀୟ ହେଇ ରହିବ ପ୍ରଭୁ ରାମଙ୍କ ପ୍ରତିଷ୍ଠା ଦିବସ । ସତେ ଯେପରି ୧୪ ବର୍ଷର ବନବାସ ସାରି ପ୍ରଭୁ ରାମଚନ୍ଦ୍ର ପୁଣି ଥରେ ଫେରି ଆସିବେ ଅଯୋଧ୍ୟା ଭୁମିକୁ । ସେଥିପାଇଁ ଚାତକ ପରି ଚାହିଁ ବସିଛନ୍ତି ହଜାର ହଜାର ଭକ୍ତ । ସେ ସ୍ମରଣୀୟ ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରା ଦେଶ । ତେବେ ଆପଣ ମାନେ ରାମାୟଣରେ ପ୍ରଭୁ ରାମଙ୍କର ଅନେକ ଭକ୍ତଙ୍କ କଥା ତ ଶୁଣିଥିବେ । ସେମାନଙ୍କ ନିଷ୍ଠା ବିଷୟରେ ମଧ୍ୟ ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କଳିଯୁଗର ଏପରି ଜଣେ ଭକ୍ତଙ୍କ ବିଷୟରେ କହିବୁ ଯିଏ ପ୍ରଭୁ ଶ୍ରୀରାମଙ୍କ ପାଇଁ ଗୋଟେ କି ଦୁଇ ବର୍ଷ ନୁହେଁ ଗତ ୩୦ବର୍ଷ ହେବ ମୌନବ୍ରତ ପାଳନ କରିଛନ୍ତି । ଝାଡଖଣ୍ଡ ଧନବାଡର ବାସିନ୍ଦା ସରସ୍ଵତୀ ଅଗ୍ରୱାଲ୍ ୨୨ତାରିଖରେ ଅଯୋଧ୍ୟା ଯାଇ ତାଙ୍କର ମୌନବ୍ରତ ଖୋଲିବେ । ବାସ୍ତବରେ, ଧାନବାଡର ସରସ୍ୱତୀ ଅଗ୍ରୱାଲ ୩୦ ବର୍ଷ ପୂର୍ବେ ଶପଥ ନେଇଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ସେ ମୌନ ବ୍ରତ ପାଳନ କରିବେ । ବର୍ତ୍ତମାନ ସରସ୍ୱତୀ ଦେବୀଙ୍କୁ ୮୫ ବର୍ଷ ବୟସ | ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପବିତ୍ର ଦିନରେ ‘ରାମ-ସିତାରାମ’ କହି ନିଜର ମୌନବ୍ରତ ଭାଙ୍ଗିବେ ।

ସୂଚନା ଅନୁଯାୟୀ, ସରସ୍ୱତୀ ଅଗ୍ରୱାଲ ୧୯୯୨ ଡିସେମ୍ବର ୬ତାରିଖରୁ ଏପରି ମୌନବ୍ରତ ପାଳନ କରିଆସୁଛନ୍ତି । ସେ ୧୯୯୨ ମସିହା ମେ ମାସରେ ଅଯୋଧ୍ୟା ଯାଇଥିଲେ । ସେଠାରେ ସେ ରାମ ଜନ୍ମଭୁମି ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଭେଟିଥିଲେ । ମହନ୍ତ ନୃତ୍ୟ ଗୋପାଳ ଦାସ ତାଙ୍କୁ କାମତାନାଥ ପର୍ବତ ପରିକ୍ରମା କରିବାକୁ ଆଦେଶ ଦେଇଥିଲେ । ଆଦେଶ ପାଇବା ପରେ ସରସ୍ଵତୀ ଦେବୀ ଚିତ୍ରକୁଟକୁ ପର୍ବତକୁ ଚାଲିଯାଇଥିଲେ । ସେଠାରେ ସେ ସାଢେ ସାତ ମାସ କଳ୍ପବାସରେ ଦିନକୁ ମାତ୍ର ଗୋଟେ ଗ୍ଲାସ କ୍ଷୀର ପିଇ ରହୁଥିଲେ । ପ୍ରତିଦିନ ସେ କାମତାନାଥ ପର୍ବତର ୧୪ କିଲୋମିଟର ପରିକ୍ରମା କରୁଥିଲେ | ପରିକ୍ରମା ପରେ ସେ ଅଯୋଧ୍ୟାକୁ ଫେରିଆସିଥିଲେ । ସେଠାରେ ଡିସେମ୍ବର ୬, ୧୯୯୨ରେ ସ୍ଵାମୀ ନୃତ୍ୟ ଗୋପାଳ ଦାସଙ୍କୁ ପୁଣି ଥରେ ଭେଟିଥିଲେ। ତାଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ସେ ସେବେଠାରୁ ମୌନବ୍ରତ ପାଳନ କରିଛନ୍ତି । ଓ ଶପଥ ନେଇଛନ୍ତି ଯେଉଁପର୍ଯ୍ୟନ୍ତ ରାମ ମନ୍ଦିର ପ୍ରତିଷ୍ଠା ନ ହୋଇଛି ସେ ପର୍ଯ୍ୟନ୍ତ ସେ ଏପରି ମୌନ ରହିବେ ।

 

 

Leave A Reply

Your email address will not be published.