ପୁଣେ: ଏଠାରେ ଅନୁଷ୍ଠିତ ସୟେଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲରେ ଝାଡଖଣ୍ଡ ୬୯ ରନରେ ହରିୟାଣାକୁ ହରାଇ ପ୍ରଥମ ଟାଇଟଲ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଅଧିନାୟକ ଈଶାନ କିଶାନ ବିସ୍ଫୋରକ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଝାଡଖଣ୍ଡ ୩ ୱିକେଟ ବିନିମୟରେ ୨୬୨ ରନ କରିଥିଲା । ଈଶାନ କିଶାନ ୪୯ ବଲରେ ୧୦୧ ରନରେ ଇନିଂସ ଖେଳିଥିଲେ । ଏଥିରେ ୬ ଚୌକା ଓ ୧୦ ଛକା ସାମିଲ । ଅନ୍ୟମାନଙ୍କ ମଧ୍ୟରେ କୁମାର କୁଶାଗ୍ର ୩୮ ବଲରେ ୮୧ ରନ କରିଥିଲେ ।
ଜବାବରେ ୨୬୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହରିୟାଣା ୧୮.୩ ଓଭରରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶବର୍ଦ୍ଧନ ଦଲାଲ ଦଳ ପକ୍ଷରୁ ସର୍ବାଧିକ ୫୩ ରନ କରିଥିଲେ । ସୁଶାନ୍ତ ମିଶ୍ର ଓ ବାଲକ୍ରିଷ୍ଣା ଝାଡଖଣ୍ଡ ପକ୍ଷରୁ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଈଶାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଅଙ୍କୁଲ ରାୟ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।