Latest Odisha News

BREAKING NEWS

ଦୀପାଳି ଦାସଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ମୁଖ୍ୟ ହେଉଛନ୍ତି ନବୀନ। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁ ଦିନ ଝାରସୁଗୁଡ଼ାରେ ପ୍ରଚାର କରିବେ ସେନେଇ ଏଯାଏ ନିଷ୍ପତ୍ତି ହୋଇନାହିଁ।

ଆସନ୍ତା ମେ’ ୮ ତାରିଖରେ ପ୍ରଚାର ଶେଷ ତାରିଖ ରହିଥିବା ବେଳେ ଆସନ୍ତା ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଦୀପାଳି ଦାସଙ୍କ ପାଇଁ କେଉଁ ତାରିଖରେ ପ୍ରଚାର କରିବେ ସେନେଇ ନିଷ୍ପତ୍ତି ନିଆଯିବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ କେବଳ ଗୋଟିଏ ଦିନ ପାଇଁ ପ୍ରଚାର କରିବେ।

ନିକଟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ୩ଟି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ସେପଟେ ଏହି ଉପନିର୍ବାଚନରେ ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାଁ ମଧ୍ୟ ରହିଛନ୍ତି। ପଦ୍ମପୁର ଉପନିର୍ବାଚନରେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ନେତା ସୁଶାନ୍ତ ସିଂହଙ୍କୁ ଝାରସୁଗୁଡ଼ାର ପର୍ଯ୍ୟବେକ୍ଷକ ଭାବେ ମନୋନୀତ କରାଯାଇନାହିଁ। କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଛି।

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନାମ ରହିଛି।

Comments are closed.