Latest Odisha News

ଝାରସୁଗୁଡାରେ ଚାଲିଛି ମତଦାନ: ଭୋଟରଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ଚାଲିଛି ମତଦାନ । ନବଙ୍କ ପରେ କିଏ ନେବ ଜିଲ୍ଲାର ଦାୟିତ୍ୱ ? ଏଥିପାଇଁ ଆଜି ନେତା ବାଛିବେ ଝାରସୁଗୁଡ଼ବାସୀ । ତିନି ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ । ଏଥିପାଇଁ ସାରା ଜିଲ୍ଲାରେ ହୋଇଛି ବ୍ୟାପକ ବ୍ୟବସ୍ଥା ।

ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟ ଦେବାପାଇଁ ସକାଳୁ ସକାଳୁ ଭୋଟରଙ୍କ ଲମ୍ବା ଧାଡି ଲାଗିଛି । ମୋଟ୍ ୨୫୩ ବୁଥରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ  ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍‌ଥ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର, ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର, ୧୦୪ ଜଣ ମହିଳା ପୋଲିଂ ଅଫିସର ରହିଛନ୍ତି । ସମସ୍ତ ୨୫୩ ବୁଥରେ ୱେକାଷ୍ଟିଂ କରାଯିବ । ସମ୍ବେଦନଶୀଳ ୨୯ଟି ବୁଥ୍ ଉପରେ ନିରୀକ୍ଷଣ ପାଇଁ ଡ୍ରୋନ୍ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି ।

ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି । ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି ।  ଭୋଟ କେନ୍ଦ୍ରକୁ ଆସୁଥିବା ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ  ସ୍ବାଗତ କରାଯାଉଛି।

ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନରୁ ହେଉଥିବା ଉପନିର୍ବାଚନରେ  ବିଜେଡିରୁ ନବଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ  ।

 ସେିହପରି  ଆଇନଶୃଙ୍ଖଳା ଦାୟିତ୍ୱରେ ମୋଟ ୧୫୫ଜଣ ପୁଲିସ ଅଫିସର, ୧୭ ପ୍ଲାଟୁନ ଆର୍ମଡ ପୁଲିସ, ୩୨୩ଜଣ ହାବିଲଦାର,କନେଷ୍ଟବଳ ଓ ୨୦୫ଜଣ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ଜଣ ପୁଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.