Latest Odisha News

BREAKING NEWS

ନବ ଦାସ ଜାନୁଆରୀ ୨୪ରେ ବିଜେଡ଼ିରେ ଯୋଗଦେବେ !

ଭୁବନେଶ୍ୱର: କଂଗ୍ରେସ ଛାଡ଼ିବା ନେଇ ସମ୍ଭାବନାକୁ ଅସ୍ୱୀକାର କରିବାର କିଛିଦିନ ମଧ୍ୟରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଜାନୁଆରୀ ୨୪ ତାରିଖରେ ବିଜୁ ଜନତା ଦଳରେ ଯୋଗଦେବା ସଙ୍କେତ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସେ ଝାରସୁଗୁଡ଼ାର ସମସିଙ୍ଗାଠାରେ ଏକ ଜନସଭାରେ ଗଣମାଧ୍ୟମ ଆଗରେ ପ୍ରକାଶ କରି କହିଛନ୍ତି, “ମୋ ସମର୍ଥକମାନେ ୨୦୧୯ ନିର୍ବାଚନ ବିଜେଡ଼ି ଟିକେଟରେ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ସେମାନେ ଯାହା ଚାହୁଁଛନ୍ତି ମୁଁ ତାହା କରିବି ” ।

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୪ ତାରିଖରେ ଏକ କ୍ୟାନସର ହସ୍ପିଟାଲ ଉଦଘାଟନ କରିବା ଅବସରରେ ଝାରସୁଗୁଡ଼ା ଗସ୍ତରେ ଆସୁଥିବା ଅବସରରେ ସେ ଦଳରେ ଯୋଗଦାନ କରିବେ ବୋଲି କହିଛନ୍ତି । “ ମୋ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସଦିଚ୍ଛା ଗ୍ରହଣ କରି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବି,”ବୋଲି କହିଛନ୍ତି ନବ ଦାସ ।

ଏହା କଂଗ୍ରେସ ଉପରେ କି ପ୍ରଭାବ ପଡ଼ିବ
ଏହାଫଳରେ କଂଗ୍ରେସକୁ ବଡ଼ ଝଟକା ଲାଗିପାରେ, କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଗରେ ରହିବାକୁ ସଂଘର୍ଷ ଜାରି ରଖିଛି । ଝାରସୁଗୁଡ଼ା ପରି ଏକ ଔଦ୍ୟଗିକ କ୍ଷେତ୍ରରେ ବରିଷ୍ଠ ନେତା ନବ ଦାସଙ୍କ ବେଶ୍ ପ୍ରଭାବ ରହିଛି ।

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେଡ଼ି ନେତା କିଶୋର କୁମାର ମହାନ୍ତିଙ୍କୁ ଦୁଇଥର ଖୁବ ଭଲ ବ୍ୟବଧାନରେ ଏହି କଂଗ୍ରେସ ନେତା ପରାସ୍ତ କରିପାରିଛନ୍ତି । ତାଙ୍କର ସାଂଗଠନିକ କୌଶଳ ଲାଗି ସେ ବେଶ୍ ଜଣାଶୁଣା ମଧ୍ୟ । ରାଜ୍ୟସ୍ତରୀୟ ମେଗା ଇଭେଣ୍ଟ ଆୟୋଜନ କରିବାରେ ଯେଉଁ କେତେଜଣ ପୋଖତ କଂଗ୍ରେସ ନେତା ରହିଛନ୍ତି ସେମାନଙ୍କ ମଧ୍ୟରେ ନବ ଦାସ ଅନ୍ୟତମ । ଗତବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ସ୍ଥାନରେ କଂଗ୍ରେସ ପରାଜୟ ସ୍ୱୀକାର କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ନବ ଦାସ ଦଳ ଲାଗି ବିପୁଳ ବିଜୟ ହାସଲ କରିପାରିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ଜାନୁଆରୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ରାହୁଲଙ୍କ ଗସ୍ତକୁ ଦଳୀୟ କର୍ମୀ ମଧ୍ୟ ବେଶ୍ ଉତ୍ସାହିତ ରହିଥିବା ଜଣାପଡ଼ିଛି ।

ବିଜେଡ଼ିର ଫାଇଦା
ବିଜେଡ଼ିରେ ତାଙ୍କର ଯୋଗଦାନ ଫଳରେ ପଶ୍ଚିମ ଓଡ଼ିଶାରେ ଦଳୀୟ ଆଧାର ମଜବୁତ ହେବା ସଙ୍ଗେ ସଙ୍ଗେ ବିଜେପିକୁ ଏହିସବୁ ଜିଲ୍ଲା ଗୁଡ଼ିକରେ ବିଜେପିର ପ୍ରଭାବ ହ୍ରାସ ପାଇବା ସ୍ୱାଭାବିକ । ବିଜୁ ଜନତା ଦଳ ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରିଥିଲା, ଏବଂ ଗତବର୍ଷ ବିଜେପୁର ଉପନିର୍ବାଚନରେ ବିଜୟ ହାସଲ କରିପାରିଥିଲା । ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ବିଜେପି ୨୦୧୭ ମସିହା ଗ୍ରାମୀଣ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରିପାରିଥିଲା । ତେବେ ୨୦୧୪ର ନବୀନଙ୍କ ନେତୃତ୍ୱାଧୀନ ଦଳରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ସାମିଲ ହେବାର ଫାଇଦା ଠାରୁ ନବ ଦାସଙ୍କ ବିଜେଡ଼ିରେ ଯୋଗଦାନ ଫଳରେ ଏଠାରେ ବିଜେଡ଼ିକୁ ବିଶେଷ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୁପିନ୍ଦର ସିଂହ କଳାହାଣ୍ଡି ଜିଲ୍ଲାର ହେଲେ ମଧ୍ୟ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି । କହିବାକୁ ଗଲେ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଏକରକମ କଂଗେସ ଶିକାର କରିଚାଲିଛି କହିଲେ ଚଳେ । ଏପରିକି ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ମଧ୍ୟ ୨୦୧୪ ମସିହାରେ ଦଳରେ ସାମିଲ କରିଥିଲା ।

କଳ୍ପନାଜଳ୍ପନା ଏବଂ ସମ୍ଭାବନା
ମାତ୍ର ଚାରିଦିନ ପୂର୍ବରୁ, ଏହି କଂଗ୍ରେସ ବିଧାୟକ ଜଣକ ଗଣମାଧ୍ୟମକୁ କହିଥିଲେ ଯେ, ଜଣେ କଂଗ୍ରେସ କର୍ମୀ ଭାବେ ସେ ୨୦୧୯ ନିର୍ବାଚନ ଲଢିବେ ବୋଲି । ଏକ ସମୟରେ ରାଜ୍ୟ ନେତୃତ୍ୱ ଦ୍ୱାରା ଦଳରୁ ବିଚ୍ଛିନ୍ନ ହେବା ଭଳି ମିଡ଼ିଆ ରିପୋର୍ଟକୁ ଅସ୍ୱୀକାର କରି ନବ ଗଣମାଧ୍ୟମ ଆଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ପଛାଇନଥିଲେ ।

ଗତବର୍ଷ ଡ଼ିସେମ୍ବରରେ, ଉଦ୍ୟୋଗପତିରୁ ରାଜନେତା ପାଲଟିଥିବା ଏହି ବରିଷ୍ଠ ନେତା କଂଗ୍ରେସ ପରିତ୍ୟାଗ କରିବା ନେଇ ସମସ୍ତ କଳ୍ପନାଜଳ୍ପନାକୁ ଅସ୍ୱୀକାର କରିବା ସହିତ ଏପରି ମିଥ୍ୟାରୋପ ପ୍ରଚାର କରୁଥିବା ବ୍ୟକ୍ତି ମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । “ ମୁଁ ଦଳର ବିଚାରଧାରା ଏବଂ ସମସ୍ତ ସିଦ୍ଦାନ୍ତ ଆଧାରକୁ ନେଇ ଦଳ ଲାଗି କାର୍ଯ୍ୟ କରୁଛି । ମୁଁ ମୋ ନିଜ ଦଳ ଲାଗି କାର୍ଯ୍ୟ କରିଥିବା ଯୋଗୁଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୂପେ ମନୋନୀତ ହୋଇଥିଲି,” ବୋଲି ନବ ଦାସ ସେହି ସମୟରେ ବିଜେଡ଼ିରେ ମିଶିବା ନେଇ ସ୍ପଷ୍ଟିକରଣ ଦେବା ପୂର୍ବକ ପତ୍ର ମାଧ୍ୟମରେ ଏହା ଜଣାଇଥିଲେ ।

Leave A Reply

Your email address will not be published.