ଝିଅ ହେଇଚି !
ପଲ୍ଲବୀ ପୂଜାପଣ୍ଡା
ଲେବର ରୁମରୁ ବାହାରି ଲେଡି ଡକ୍ଟର ବିଷ୍ଣୁପ୍ରିୟା ମହାନ୍ତି, “ମିଶ୍ରବାବୁ…!”
ରିସେପସନ୍ ଆଡୁ ଚାଲୁଚାଲୁ ଶାନ୍ତିଲତା ମାଡ଼ମ୍, “ପ୍ରକାଶ…!”
ସେପଟୁ ନର୍ସ ମନିଦିଦି ବି ତାଳ ଦେଇ, “ପିକୁରେ…!”
ତ୍ରିଦେବୀ ମିଳିତ ହେଲେ ପ୍ରକାଶ ଢେରାଦେଇ ଛିଡା ହେଇଥିବା ହସ୍ପିଟାଲ କାନ୍ଥ ପାଖରେ । ପ୍ରକାଶ ମୁହଁରେ ବିସ୍ମୟ, ଆଖିରେ ପ୍ରଶ୍ନବାଚକ ଚିହ୍ନ ।
ଆଉ ସମ୍ଭାଳି ନପାରି ବାହାରି ଆସିଲା ଏକାବେଳେ ତ୍ରିଦେବୀଙ୍କ ପାଟି ପେଟ ଭିତରୁ…”ଝିଅ ହେଇଚି”
ବାସ୍…. ଜୀବନରେ ପ୍ରଥମଥର ବାପା ହେଇଥିବା ପୁରୁଷ, ପ୍ରକାଶ…ସେ ପୁଣି ଗୋଟେ ଝିଅର ବାପା ! ଆନନ୍ଦ ଉଲ୍ଲାସ ଭାବ ଛଳଛଳରେ ମନେ ପଡିନି ଜମା…ବର୍ତ୍ତମାନର ଆର୍ଥିକ ପରିସ୍ଥିତି, ଅଭାବ ଅସୁବିଧା କଥା ।
ସ୍ୱର ବି ପହଁଚି ପାରିଛି ପ୍ରଥମ କରି ମାଆ ହେଇଥିବା ନାରୀ ପମିର କାନଯାଏଁ । ଏ ଅଭାବ ଅନଟନ ସମୟରେ ଘରେ ଲକ୍ଷ୍ମୀପାଦ ପଡିଛି… ବୋଲି ଭାବି ଖୁସି ହେବ ନା ଏମିତି ପରିସ୍ଥିତିରେ ଗୋଟେ କନ୍ୟା ସନ୍ତାନର ଲାଳନପାଳନ, ଶିକ୍ଷା, ସ୍ୱାସ୍ଥ୍ୟ, ବାହାଘର…”ଓଃ ! ଏ କଣ କଲ ପ୍ରଭୁ ?” ଆଖିରେ ଲୁହର ଜୁଆର ।
କଉ ମାଆ ସହିବ ଯେ! ତା’ ସନ୍ତାନ ଜୀବନରେ, ବୋଝ ଉପରେ ଲଳିତା ବିଡା ପରି ଦୁଃଖ ପରେ ଦୁଃଖ ! ଲଥ କି ଚୌକି ଉପରେ ବସି ପଡିଛନ୍ତି ସୁମିତ୍ରା ଦେବୀ ପାପୁଲିରେ ମଥା ଥୋଇ, ଝିଅ ଗୋଡ଼ ତଳକୁ । “ପ୍ରଭୁ ହେ ! ଏଇ ଦିନ ଦେଖେଇବାକୁ ବଞ୍ଚେଇ ରଖିଥିଲ ! କେତେ ଡାକିନଥିଲି ! କେତେ ପୂଜି ନଥିଲି ! ତଥାପି….ତଥାପି ଏଡ଼େ ନିରିଦୟ, ପାଷାଣ କେମିତି ସାଜିଲ!
ସାଇନ୍ସ ପଢ଼ାପିଲା ବୋଲି ଜମିବାଡ଼ି, ଘରଦ୍ୱାର, ରୋଜଗାର କିଛି ନଦେଖି ଭାଇ ଝିଅ ଦେଇଦେଲା । ବାପା ଥିଲେ ଏତେ ବଡ଼ ଭୁଲ କଦାପି ହେଇ ନଥାନ୍ତା । କାରଣ ବଡ଼ ଝିଅ ଦି’ଟା ଯାକ ଥିଲାଘରେ ପଡିଛନ୍ତି । ପାଠ ନଥିଲେ କଣ ହେଲା ଧନ, ଧାନରେ ବାରିବାକୁ ନାହିଁ ।
ସାନ ଭଉଣୀକୁ ପାଠଶାଠ ପଢେଇଛି ବୋଲି ଭାଇର ଭାରି ମନଥିଲା ପାଠୁଆ ଜ୍ୱାଇଁଟେ କରିବ । କଲା ବି । ସୁନ୍ଦର, ଭଦ୍ର, ଶିକ୍ଷିତ, ମାର୍ଜିତ ଚାଲିଚଳନ । ମଦ, ପାନ, ବିଡ଼ି, ସିଗାରେଟ ଛୁଏଁନା । କହିବାକୁ ଗଲେ ହୀରା ଖଣ୍ଡେ । କିନ୍ତୁ… ନା ସେ ଗୁଣ, ସୁନ୍ଦରତାକୁ ଚାଟି ହେବ, ନା ସେ ପାଠରେ ପେଟ ପୂରିବ! ଘର ସଂସାର ଚଳେଇବାକୁ ଅର୍ଥ ଦରକାର ।
ଏମିତି ନୁହଁ ଯେ ପ୍ରକାଶ ଅକର୍ମା, ଅଯୋଗ୍ୟ, କର୍ମକୋଢ଼ିଆ ଥିଲା । ପ୍ରାଣପଣେ ଚେଷ୍ଟା ଜାରି ରଖିଥିଲା ! ହେଲେ ହେବ କଣ ? ଶନି ମହାଦଶାରେ ରାହୁ ଅନ୍ତର୍ଦଶା । ଯେଉଁ ଡାଳ ଧରିଲେ ଭାଙ୍ଗିଯାଉଥାଏ । ନିଜ ଲୋକ ଶତ୍ରୁ ହେଲେ କଥା ସରିଲା । କହିବ କାହାକୁ ଶୁଣିବ କିଏ !
ରାହା ଧରି କାନ୍ଦୁଥାନ୍ତି ସୁମିତ୍ରା ଦେବୀ । ହଠାତ୍ କାନ୍ଧ ଉପରେ କାହାର ସ୍ପର୍ଶକୁ ଅନୁଭବ କରି ପଛକୁ ବୁଲି ଚାହିଁଲେ । ଛିଡା ହେଇଚି ମଝିଆଁ ଝିଅ ଟୁନି ।
ମାଆ ଆଖିରୁ ଲୁହ ପୋଛିଦେଲା ଟୁନି । ପାଖରେ ବସିପଡିଲା । ଏବେ ସେ ତା’ ମାଆର ମା’ ।
“ଏ ମାଆ ! କାଇଁ କାନ୍ଦୁଚୁ କହିଲୁ ? ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଏତେ ଦୁଃଖ, ଅସୁବିଧା, ଶାଶୁ-ନଣନ୍ଦଙ୍କ ଜ୍ୱାଳା… ପମି କା’ ଆଗେ କହିବ କହିଲୁ ତା’ ମନକଥା? ସବୁ କଥା କଣ ସେ ସ୍ୱାମୀ ଆଗରେ ଯେତେବେଳେ ମନ ସେତେବେଳେ ଗପି ଦେଇ ପାରିବ ? ପୁଅ ହେଇଥିଲେ କ୍ରିକେଟ ଖେଳିବାକୁ ବାହାରକୁ ପଳେଇଥାନ୍ତା, ମାଆ ଗପିବ କା’ ସାଙ୍ଗେ? ଏ ମାସୁଆରି ସମୟରେ ଅଣ୍ଡିରା ପିଲାଗୁଡାଙ୍କୁ ସଞ୍ଜ ଟିକେ ଦେଇ ଦେବାଲାଗି, କୁକୁର ଗୁହ, ବିଲେଇ ଗୁହ ମାଡିଛି କହି ପାମ୍ପ୍ଲେଇ ହେବା ଯୋଉ କଷ୍ଟ…ଓଃ ! ମୁଣ୍ଡ ଖରାପ ହେଇଯାଏ । ଝିଅଟେ ଥିଲେ ସିନା ଅଣ୍ଟା, ପିଠି, ଗୋଡ଼ ହାତ ଟିକେ ଘଷି ମୋଡି ଦେବ । ମୁଣ୍ଡ ସାଉଁଳେଇ ଦେବ ।… ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ । ପମି କୋଳକୁ ଝିଅଟେ ଦେଇଛନ୍ତି । ଆଜିଠୁ ତା’ ଦୁଃଖ ଗଲା ଜାଣ । ସେ ଘରେ ପ୍ରକାଶ ଛଡା ତାକୁ ଆଉ ଗୋଟେ ସାଙ୍ଗ ମିଳିଗଲା । ଯାହା ସହ ସେ ମନଖୋଲି ଗପି ପାରିବ । ହାଲକା ହେଇଯିବ ସବୁ କୋହ । ନହେଲେ ତୋ ଝିଅ ସେ ଘରେ ବାୟାଣୀ ହେଇଯାଇଥାନ୍ତା ଜାଣିଥା’ ।”
କଥାଟା ସୁମିତ୍ରା ଦେବୀଙ୍କୁ ପାରେଇ ପମି, ସଦ୍ୟଜନ୍ମିତ କୁନି ଝିଅ କାନକୁ ବି ପଳେଇଲା କି କଣ କେଜାଣି ! ସେ ବି କେଁ… କରି କାନ୍ଦିବା ଆରମ୍ଭ କରିଦେଲା । କୋଳେଇ ନେଲା ପମି । କୋଳେଇ ନେଲେ ବି ଆଈ । ଗୁଲୁରୁଗୁଲୁରୁ ହେଇ କେତେ କଣ ଗପିଯାଉଥାଆନ୍ତି । ନାତୁଣୀ ବି ପୂରା ଚୁପ । ଆଈ କୋଳରେ ମଟମଟ କରି ଅନଉଥାଏ… ସତେକି ସବୁ ବୁଝି ପକଉଥାଏ !
ତାଳଚେର, ଅନୁଗୁଳ, ଓଡ଼ିଶା
Comments are closed.