Latest Odisha News

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ,
ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

କେଦାର ମିଶ୍ର

ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର ନା ହିଁ ହେବ। ବିମ୍ବାଧର ବର୍ମାଙ୍କ ରୂପର ସଂସାର ଥିଲା ନିଛକ ଓଡିଆ। ଓଡିଶାରେ ଯେଉଁମାନେ ଚିତ୍ରକଳାର ଇତିହାସ ଲେଖିଲେ, ସେମାନେ ବିମ୍ବାଧର ବର୍ମାଙ୍କୁ ଏକପ୍ରକାର ଅଣଦେଖା ରଖିଲେ ଓ ତାର ଏକମାତ୍ର କାରଣ ଥିଲା, ବିମ୍ବାଧର ବିଧିବଦ୍ଧ ଭାବରେ ଚିତ୍ରଶିକ୍ଷା କରିନଥିଲେ। ଆମ ଆଧୁନିକ ଚିତ୍ରକଳାର ଇତିହାସ ଖଲିକୋଟ କଳା ମହା ବିଦ୍ୟାଳୟରୁ ଆରମ୍ଭ ହୋଇ ଭୁବନେଶ୍ୱର ବି.କେ. କଳା ମହା ବିଦ୍ୟାଳୟରେ ସରିଗଲା। ଅଥଚ ଖଲିକୋଟ ଆରମ୍ଭ ହେବାର ବହୁ ପୂର୍ବରୁ ଓଡିଶାରେ ଆଧୁନିକ ଚିତ୍ରକଳାର ଏକ ସମୃଦ୍ଧ ପରମ୍ପରା ରହିଥିଲା ଓ ତାର ମଙ୍ଗୁଆଳ ଥିଲେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା, ଏକଥା ଆଜି ସ୍ଵୀକାର କରିବାକୁ ପଡିବ।

ବିମ୍ବାଧର ବର୍ମା ଥିଲେ ଚିତ୍ରକଳାର ସିଦ୍ଧ ଏକଲବ୍ୟ। ମା’ଙ୍କ ଝୋଟି ଓ ମୁରୁଜ ଅଙ୍କା ଦେଖି ସେ ଚିତ୍ର ନିର୍ମାଣର କଳା ଶିଖିଥିଲେ ବୋଲି ନିଜେ ସ୍ଵୀକାର କରନ୍ତି। ଗାଁ କୁ ଆସି ମୂର୍ତ୍ତି ଗଢୁଥିବା ବଙ୍ଗାଳୀ ମୂର୍ତ୍ତିକାର ରାଖାଲ ଦାଦାଙ୍କ ଅନୁକରଣରେ ମାଟିରେ ଛେପ ମିଶେଇ ସେ ପ୍ରଥମ ମୂର୍ତ୍ତି ଗଢିଥିଲେ। ଦେଖି ଦେଖି ସେ ଚିତ୍ର ନିର୍ମାଣର କଳା କୌଶଳ ଶିଖିଛନ୍ତି। ତାଙ୍କ ସମୟର ପ୍ରସିଦ୍ଧ ଶାନ୍ତି ନିକେତନ କଳା ସ୍କୁଲରେ ପଢିବାର ସୌଭାଗ୍ୟ ତାଙ୍କୁ ମିଳିନଥିଲା। ସେ କିନ୍ତୁ କଲିକତା ଯାଇଛନ୍ତି। ଅବନୀନ୍ଦ୍ରନାଥ ଓ ନନ୍ଦଲାଲ ବୋଷଙ୍କ ଚିତ୍ରକଳା ଦେଖିଛନ୍ତି। କେବଳ ଦେଖିବା ହିଁ ଥିଲା ତାଙ୍କର ଶିଖିବା। ତାଙ୍କ ଚିତ୍ରର ଟେକନିକ ସେଥିପାଇଁ ନିରୁତା ଦେଶୀ।ସେ ପାଶ୍ଚାତ୍ୟ ଶୈଳୀର ରେଖାଙ୍କନ ବା ରଙ୍ଗ ପ୍ରୟୋଗ ଅପେକ୍ଷା ଓଡିଶୀ ଚିତ୍ର ଶୈଳୀକୁ ସର୍ବାଧିକ ଗୁରୁତ୍ଵ ଦେଇଛନ୍ତି। ଏ କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶକ ଥିଲେ କୂଳବୃଦ୍ଧ ମଧୁସୂଦନ ଦାସ। ଏକଦା ମଧୁବାବୁ ତାଙ୍କୁ କିଛି ଚିତ୍ର ଆଙ୍କଦେବାକୁ କହିଥିଲେ। ଉତ୍କଳ ସମ୍ମିଳନୀ ପାଇଁ ଚିତ୍ର ଆଙ୍କିବା ପରେ ବର୍ମାଙ୍କୁ ମଧୁବାବୁ କହିଥିଲେ, ତମକୁ ଜିରୋ ମାର୍କ ଦେଉଛି। ଏ ଚିତ୍ର ସବୁରେ ଓଡିଆପଣ କାହିଁ-ଓଡିଆ ହୁଅ। ସେଦିନ ବର୍ମାଙ୍କୁ ଓଡିଆ ଚିତ୍ରକଳାରେ ଓଡିଆ ଜାତୀୟତାର ସୂତ୍ର ମିଳି ଯାଇଥିଲା। ସେ ଲେଖିଛନ୍ତି- “ମୁଁ ଆଜି ଭାବେ ସେ (ମଧୁ ବାବୁ) ଏହି ଖଡୁ, ନୋଳି ପିନ୍ଧା ଓଡିଆ ହେବା କଥା କହୁ ନ ଥିଲେ। ସେ ଲୋଡୁଥିଲେ- ଓଡିଆର ରକ୍ତ, ଓଡିଆର ପ୍ରାଣରେ ପ୍ରତିଷ୍ଠିତ ତାହାର ସଂପଦକୁ ଚିହ୍ନିଥିବା ଭଳି ଲୋକ; ତାହାର କୋଣାର୍କ ଭୁବନେଶ୍ଵରର ପ୍ରସ୍ତର କଳେବରର ଆଲିଙ୍ଗନ ଲାଭ କରିଥିବା ହସ୍ତର ରେଖା। “ (ଭଞ୍ଜ ପ୍ରଦୀପ, ଚୈତ୍ର, ୧୩୦୬ସାଲ)

ଗୋଟେ ଅଦ୍ଭୁତ ମିଜାଜର ଶିଳ୍ପୀ ସେ। ବାରବୁଲା ଓ ଯାଯାବର ଜୀବନ। ସବୁଠି ଶିଖିଛନ୍ତି, ସବୁ କଳାକୁ ସାଧିଛନ୍ତି। ମୂର୍ତ୍ତି ଗଢିବା ଓ ଚିତ୍ର ତିଆରି କରିବା ତାଙ୍କର ସହଜାତ। ହେଲେ ତୂଳି ସାଙ୍ଗରେ ବେହେଲା ବଜେଇ ଗୀତ ଗାଇଛନ୍ତି। ମୃଦଙ୍ଗ ବଜେଇ କୀର୍ତ୍ତନ କରିଛନ୍ତି। ଲେଖିଛନ୍ତି ବି କବିତା, ଉପନ୍ୟାସ ଓ ପ୍ରବନ୍ଧ। ଡାକ୍ତର ହେବାକୁ ମେଡିକାଲ କଲେଜରେ ନାଁ ଲେଖାଇ ଅଧାରୁ ପାଠ ଛାଡି ପଳେଈ ଆସିଛନ୍ତି। ତାଙ୍କ ନିଜ ଭାଷାରେ- ‘ଶବ ବ୍ୟବଛେଦର ଛୁରୀ କଇଁଚି ଫିଙ୍ଗି ପୁଣି ଚାଲିଗଲି ସେଇ ମୁକ୍ତ ପ୍ରକୃତି ପାଖକୁ। ଯେଉଁଠି ପଲ୍ଲୀ କୋଳରେ ଶ୍ୟାମଳିମା ଭିତରେ ଆତ୍ମଗୋପନ କରିଛି ବେପଥୁମତି ବଧୂ, ସିଝୁ ଆଉ ଖଜୁରୀ ବୁଦାର ପଡିଆ ଭିତରେ ଗୋଧୂଳି ଆକାଶ ତଳେ ବଂଶୀ ବାଇ ଫେରୁଛି ଗାଈଆଳ ଟୋକା, ଅସ୍ତ ଆକାଶ ତଳେ ଅସୀମ ପଥରେ ଚାଲିଛି ଅନାଥିନୀ। ଯେଉଁଠି କର୍ଦ୍ଦମରେ ନଇଁ ପଡିଛି ମଣିଷ, ଆଉ କଳାହାଣ୍ଡିଆ ମେଘ ଯେମିତି ବର୍ଷି ଯାଉଛି ପାଣି।”।

ଏହା ହିଁ ବର୍ମାଙ୍କ ଶିଳ୍ପ ଓ ଜୀବନ ଦର୍ଶନ। ରୂପର ଆକର୍ଷଣ ଏମିତି ଘାରିଛି ଯେ, ଜୀବନ ଓ ଜୀବିକାର ଡାକକୁ ଶୁଣି ନାହାନ୍ତି। ନିଜ ଗାଁ କଟକ ଜିଲ୍ଲାର କୁସୁପୁରରେ ଗୋଟେ ନାଟ ଗୋଷ୍ଠୀ ଗଢିଛନ୍ତି। ସିନ ସିନେରୀ ଆଙ୍କି ପ୍ରାଚୀନ ଉତ୍କଳର ଗୌରବକୁ ଚିତ୍ରରେ ଜୀବନ୍ତ କରିଛନ୍ତି। କୁସୁପୂର ବାଳିକା ସ୍କୁଲ ପଛପଟେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ବଗିଚା। ବରିଷ୍ଠ କବି ନନ୍ଦକିଶୋର ବିମ୍ବାଧରଙ୍କ ହାତଅଙ୍କା ଭୁବନେଶ୍ଵର ଦେଉଳର ଛବି ଦେଖି କହିଛନ୍ତି-ହଇହୋ ବିମ୍ବାଧର, ତମେ ଚାରି ପଇସା ଖର୍ଚ୍ଚରେ ଏତେ ବଡ ଭୁବନେଶ୍ୱର ଦେଉଳ ଠିଆ କରିଦେଲ।

ବିମ୍ବାଧରଙ୍କ ଚିତ୍ର ନିର୍ମାଣର ଭାବ ଓ ବିନ୍ୟାସ ଷୋହଳ ଅଣା ଓଡିଆ। ତାଙ୍କ ମତରେ “ଉତ୍କଳୀୟ ଚିତ୍ରକଳାରେ ଆମେ ନୀଳବଡି, ଢାଉ, ହେଙ୍ଗୁଳ, ହରିତାଳ ଆଉ କାଳି ବ୍ୟତୀତ ଅଧିକ ଉଜ୍ଜଳ ବର୍ଣ୍ଣ ବ୍ୟଞ୍ଜନାର ଆଭାସ ପାଉନାହିଁ। ଉତ୍କଳୀୟ ଚିତ୍ରକଳା ଲକ୍ଷ୍ୟ କଲେ ସୁନ୍ଦର ଭାବେ ହୃଦୟଙ୍ଗମ ହୁଏ ଯେ ଏହା ଏକ ଭାବୋଦ୍ଦୀପକ (Expressional) ଏକ ଉଚ୍ଚାଙ୍ଗ କଳା ସୃଷ୍ଟି ଅଟେ।” (ଭଞ୍ଜ ପ୍ରଦୀପ-ପୌଷ-୧୯୩୬)।

ଜୀବନର ଅନ୍ତିମ ଭାଗରେ ବହୁ କଷ୍ଟ ସେ ସହିଥିଲେ। ତାଙ୍କ ଚିତ୍ରର ମୂଲ୍ୟ ତାଙ୍କୁ ମିଳି ନ ଥିଲା। ଟଙ୍କା କେତୋଟି ପାଇଁ ତାଙ୍କୁ ବଡ ବିକଳ ହେବାକୁ ପଡିଛି। ଯେଉଁ ରାଜା ଓ ରାଜା ପରିବାର ଲାଗି ସେ ଚିତ୍ର ଆଙ୍କୁଥିଲେ, ସେଥିରୁ ଅନେକ ତାଙ୍କୁ ପାରିଶ୍ରମିକ ବି ଦେଇ ନଥିଲେ। ଏମିତି ସମୟ ଆସିଲା ଯେ, ସେ ନିଜର ସବୁ ଚିତ୍ରକୁ ବାନ୍ଧୁବୁନ୍ଧି ସ୍କୁଲ ସହପାଠୀ ଅନ୍ନଦା ଶଙ୍କର ରାୟଙ୍କ ପାଖକୁ ପଠାଇ ଦେଇଥିଲେ। ଅନ୍ନଦା ବାବୁ କିଛି ଅର୍ଥ ଦେଇ ସେ ଚିତ୍ର ସବୁକୁ ସଯତ୍ନରେ ବନ୍ଧୁଙ୍କୁ ଫେରାଇ ଦେଇଥିଲେ।

ମୃତ୍ୟୁ ପୂର୍ବରୁ ଅତ୍ୟନ୍ତ ପୀଡାଦାୟକ ଅନୁଭବ ନେଇ ସେ ଲେଖିଥିଲେ- “ଦିନକ ଆଗରୁ ହୁଏତ ଏକଥା ଥିଲା,ମୁଁ ରୂପର ପାଗଳ ହୋଇ ବୁଲୁଥିଲି। ଆଜି ମୁଁ ଅର୍ଥ ପାଗଳ। କିନ୍ତୁ ବହୁତ ଆଗରୁ ମୁଁ ସ୍ଵାର୍ଥ ପାଗଳ ହୋଇ ପାରିଥିଲେ ଆଜି ହୁଏତ ରୋଗର ନାଗପାଶ ବନ୍ଧନୀରୁ ଟିକେ ମୁକୁଳିବାର ଚେଷ୍ଟା କରିପାରିଥାନ୍ତି। ତା ହେଇନି। ବିଧାତା କଣ କେମିତି ଏ ମୁଣ୍ଡଟାକୁ ଗଢିଦେଲା କେଜାଣି ଜୀବନ ଭରି ଦିନେ ହେଲେ ସେଥିଲାଗି ସଜାଗ ରହିବାକୁ ମନ ଯାଇନି।‘

ବିମ୍ବାଧର ବର୍ମାଙ୍କ ଜନ୍ମ ୨୧, ଅଗଷ୍ଟ, ୧୯୦୧ ଓ ମୃତ୍ୟୁ ୧୯୫୩ ମସିହା.। ମାତ୍ର ୫୩ ବର୍ଷର ଜୀବନ ଭିତରେ ଓଡିଆ ଚିତ୍ରକଳାର ନବ ନିର୍ମାଣ ଲାଗି ଭିତ୍ତି ସ୍ଥାପନ କରିଥିବା ଏହି ମହାନ ଶିଳ୍ପୀ ଆମର ଜାତୀୟ ସ୍ମୃତିରୁ ଲିଭିଯିବେ କେମିତି?

Comments are closed.