Latest Odisha News

BREAKING NEWS

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ, ଭାରତ ସହ ଥିଲା ଏମିତି ସମ୍ପର୍କ

ନୂଆଦିଲ୍ଲୀ : ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର୍ । ଶହେ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆମେରିକା ଜର୍ଜିଆ ପ୍ରଦେଶରେ ନିଜ ହୋମ୍ ଟାଉନ୍ ପ୍ଲେନ୍‌ସରେ ତାଙ୍କର ଦେହାନ୍ତ ହୋଇଛି । ଗତବର୍ଷ ଫେବ୍ରୁଆରିରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏହି ଡେମୋକ୍ରାଟ୍ ନେତା । ୧୦୭୭ରୁ ୧୯୮୧ ଯାଏଁ ଆମେରିକାର ରାଷ୍ଟ୍ରପତି ଥିଲେ ଜମି କାର୍ଟର । ସେ ଥିଲେ ଆମେରିକାର ୩୯ତମ ରାଷ୍ଟ୍ରପତି । ପିଟ୍ ପ୍ରଦେଶର ଗଭର୍ଣ୍ଣର ହେବା ପୂର୍ବରୁ ବାଦାମ ଚାଷ କରୁଥିଲେ ଜମି କାର୍ଟର୍ । ପରେ ୧୯୭୭ରେ ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ହ୍ବାଇଟ୍ ହାଉସ୍ ଯାଇଥିଲେ ।

ରିପବ୍ଲିକାନ୍ ରୋନାଲ୍‌ଡ ରିଗନ୍‌ଙ୍କଠାରୁ ହାରିଯିବା ପରେ ୧୯୮୨ରେ କାର୍ଟର୍ ସେଣ୍ଟର ସେ ନାମରେ ସଂଗଠନ ଗଢ଼ିଥିଲେ । ଏହି ସଂଗଠନ, ବିଶ୍ବରେ ସାମାଜିକ ଓ ଆର୍ଥିକ ନ୍ୟାୟ ସହ ମାନବାଧିକାର ସୁରକ୍ଷା ଦିଗରେ କାମ କରୁଛି । ସାମାଜିକ ଓ ଆର୍ଥିକ ନ୍ୟାୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୨୦୦୨ରେ ଜମି କାର୍ଟରଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ମଧ୍ୟରେ କାର୍ଟର ହିଁ ଥିଲେ ସବୁଠାରୁ ଅଧିକ ଦୀର୍ଘଜୀବୀ। ଜିମି କାର୍ଟର, ରାଷ୍ଟ୍ରପତି ଥିବା ବେଳେ ପ୍ରଥମ ଦୁଇବର୍ଷ ମୁଖ୍ୟତଃ ସାମାଜିକ ନ୍ୟାୟ ଓ ମାନବାଧିକାର ସୁରକ୍ଷା ଉପରେ ପୋକସ୍ କରିଥିଲେ । ଇସ୍ରାଏଲ୍ ଓ ଇଜିପ୍ଟ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୭୮ରେ ହୋଇଥିବା କ୍ୟାମ୍ପ ଡେଭିଡ୍ ଆକର୍ଡ ପାଇଁ ସବୁଦିନ ମନେ ରହିବେ ଜମି କାର୍ଟର୍ । ୧୯୮୦ରେ ଇରାନ ଆମେରିକାର ୫୨ ଜଣଙ୍କୁ ବନ୍ଧକ ରଖିଥିଲା । ଜିମି କାର୍ଟର କିନ୍ତୁ ସେମାନଙ୍କୁ ମୁକୁଳାଇବାରେ ସକ୍ଷମ ହୋଇ ନଥିଲେ । ସେତେବେଳେର ତୈଳ ସଙ୍କଟ ପାଇଁ ମଧ୍ୟ କିଛିମାତ୍ରାରେ ବଦମାନ୍ ହୋଇଥିଲେ ସେ । ଉତ୍ତର କୋରିଆ ଓ ବୋସନିଆ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା କରିଥିଲେ ସେ । ଜିମି କାର୍ଟରଙ୍କୁ ବ୍ରେନ୍ କ୍ୟାନସର୍ ହୋଇଥିବା ଅଗଷ୍ଟ ୨୦୧୫ରେ ଜଣା ପଡ଼ିଥିଲା । ଯେଉଁଥି ପାଇଁ ଗତକିଛି ବର୍ଷ ହେବ ସେ ଅଧିକାଂଶ ସମୟ ଚିକିତ୍ସାଧୀନ ରହୁଥିଲେ । କିନ୍ତୁ ତାଙ୍କ ମନୋବଳ ଯଥେଷ୍ଟ ଦୃଢ଼ ଥିବାରୁ ବ୍ରେନ୍ କ୍ୟାନସର୍ ଜଣାପଡ଼ିବା ପରେ ମଧ୍ୟ ୯ ବର୍ଷରୁ ଅଧିକ ସମୟ ସେ ବଞ୍ଚି ରହିଥିଲେ ।

୧୯୭୮ ଜାନୁଆରିରେ ଭାରତ ଗସ୍ତରେ ଆସିଥିଲେ ସେତେବେଳର ଆମେରିକା ରାଷ୍ଟ୍ରପତି ଜମି କାର୍ଟର । ୩ ତାରିଖରେ ସେ ଗୁରୁଗ୍ରାମର ଦୋଲତପୁରୀ ନସିରାବାଦ ଯାଇଥିଲେ । ସାଥୀରେ ଥିଲେ ତାଙ୍କ ସ୍ତ୍ରୀ ରୋଜାଲିନ୍ କାର୍ଟର୍ । ଗାଁକୁ ଆମେରିକା ରାଷ୍ଟ୍ରପତି ଆସୁଛନ୍ତି ଜାଣି ଦୌଲତପୁରୀ ନସିରାବାଦର ଲୋକମାନେ ତତ୍ପର ହୋଇ ଉଠିଥିଲେ । ଗାଁ ଦାଣ୍ଡ ସଫା ସୁତରା କରି ଦେଇଥିଲେ । ସେତେବଳେର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ସହ ଦୋଲତପୁରୀ ନସିରାବାଦ ଗାଁ ବୁଲିଥିଲେ ଜିମି କାର୍ଟର । ମୁଣ୍ଡରେ ସେ ହରିୟାଣି ପଗଡ଼ି ବାନ୍ଧିଥିଲେ ଓ ତାଙ୍କ ସ୍ତ୍ରୀ ହରିୟାଣି ଶୈଳୀରେ ପୋଷାକ ପରିଧାନ କରିଥିଲେ । ହରିୟାଣି ମହିଳାଙ୍କ ମୁଣ୍ଡରେ ସବୁବେଳେ ଓଡ଼ଣା ଝୁଲୁଥାଏ । ରୋଜାଲିନ୍ କାର୍ଡର ମଧ୍ୟ ତାଙ୍କ ମଥାରେ ସେହିଭଳି ଓଢ଼ଣା ଢାଙ୍କିଥିଲେ । ଆଉ ସେହି ସମୟରେ ଜମି କାର୍ଟର୍, ରୋଜାଲିନଙ୍କ ମଥାରୁ ଓଢ଼ଣା ଧୀରେ ଧୀରେ ଟେକି ତାଙ୍କ ମୁହଁକୁ ଦେଖିଥିଲେ । ଯାହାକୁ ଦେଖି ସେତେବେଳର ଦୌଲତପୁରୀ ନସିରାବାଦ ଲୋକେ ବେଶ ଖୁସି ହୋଇଥିଲେ । ସମସ୍ତଙ୍କ ମୁହଁରେ ମୁରୁକା ହସ ଉଙ୍କି ଉଠିଥିଲା । ଜମି କାର୍ଟରଙ୍କ ମାଆ ଲିଲିଆନ୍ ୧୯୬୦ ଦଶକରେ ବମ୍ବେରେ ଜଣେ ନର୍ସ ଭାବେ କାମ କରୁଥିଲେ ।

ଦୋଲତପୁରୀ ନସିରାବାଦ ଗାଁର ନାମ କାର୍ଟରପୁରୀ ରଖିବାକୁ ସେତେବେଳେ ପ୍ରସ୍ତାବ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ । ଆଉ ସେବେଠାରୁ ଦୋଲତପୁରୀ ନସିରାବାଦ ଗାଁର ନାମ କାର୍ଟରପୁରୀ ହୋଇଛି । ଜିମି କାର୍ଟର, କାର୍ଟରପୁରୀ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ କହିଥିଲ । କିନ୍ତୁ ତାହା ହୋଇ ପାରିଲା ନାହିଁ । କିନ୍ତୁ ଜମି କାର୍ଟରଙ୍କ ସମ୍ମାନାର୍ଥେ ଏବେ ବି କାର୍ଟରପୁରୀ ଗାଁ ଲୋକେ ଜାନୁଆରି ୩ ତାରିଖକୁ ଛୁଟିଦିନ ଭାବେ ପାଳନ କରୁଛନ୍ତି । ୨୦୦୨ରେ ଜମି କାର୍ଟରଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବା ପରେ କାର୍ଟରପୁରୀ ଗାଁର ଲୋକେ ଉତ୍ସବ ଭଳି ବେଶ ଖୁସି ମନାଇଥିଲେ ।

Comments are closed.