ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ସମାରୋହକୁ ବିଶ୍ୱର ଅନେକ ପ୍ରମୁଖ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି।
ଏହି ସମାରୋହ ପାଇଁ ଟ୍ରମ୍ପଙ୍କ କଡ଼ା ବିରୋଧୀ ବୋଲାଉଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଅତିଥି ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ହିଁ ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ ପରସ୍ପରଙ୍କୁ ନିଜର ବନ୍ଧୁ କହୁଥିବା ବେଳେ ଏହି ଘଟଣାକୁ ନେଇ ବିଶ୍ବରେ ଚର୍ଚ୍ଚା ଜୋର୍ ଧରିଛି।
ବିଶ୍ୱର ରାଜନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞମାନଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାଷ୍ଟ୍ରପତି ଟ୍ରମ୍ପ ଅସନ୍ତୁଷ୍ଟ ଥାଇପାରନ୍ତି।
ଅପରପକ୍ଷରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲି ଏବଂ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅରବାନଙ୍କ ଭଳି ବିଶ୍ୱ ନେତାମାନେ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ଏପରିକି କେତେ ଜଣ ଟ୍ରମ୍ପଙ୍କୁ ମଧ୍ୟ ଭେଟିଥିଲେ। ଶପଥ ଗ୍ରହଣ ସମାରୋହକୁ ଟ୍ରମ୍ପ ତାଙ୍କୁ ସମର୍ଥନ କରିଥିବା ଅଧିକାଂଶ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।
କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଟ୍ରମ୍ପ କେବଳ ତାଙ୍କ ଘନିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି ତେବେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କାହିଁକି ନିମନ୍ତ୍ରଣ କରିଛନ୍ତି? ଟ୍ରମ୍ପ ଚୀନ୍ ସହିତ ବିଗିଡ଼ିଥିବା ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।