Latest Odisha News

BREAKING NEWS

ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ-କଶ୍ମୀର ଟିମ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦଳ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ବେଙ୍ଗଲ ବିପକ୍ଷ ସେମିଫାଇନାଲରେ ଜମ୍ମୁ-କଶ୍ମୀର ଚମକପ୍ରଦ ବିଜୟ ହାସଲ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗଲ ସୁଦୀପ କୁମାର ଘରାମୀ ୧୪୬ ରନର ଇନିଂସ ସହାୟତାରେ ୩୨୮ ରନ କରିଥିଲେ । ବିପକ୍ଷ ଦଳର ଆକ୍ୱିବ ନାବୀ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଜବାବରେ ଜମ୍ମୁ-କଶ୍ମୀର ୩୦୨ ରନ କରି ୨୬ ରନ ପଛରେ ରହିଥିଲା । ପାରସ ଡୋଗ୍ରା ୫୮, ଅବଦୁଲ ସମଦ ୮୨ ଓ ନାବୀ ୪୨ ରନ କରିଥିଲେ । ମହମ୍ମଦ ସାମୀ ୮ଟି ୱିକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ ।

ବେଙ୍ଗଲ ଦ୍ୱିତୀୟ ଇନିଂସରେ ୯୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଶେହବାଜ ଅହମ୍ମଦ ୨୪ ରନ କରିଥିଲେ । ନାବୀ ଓ ସୁନୀଲ କୁମାର ୪ଟି ଲେଖାଏଁ ୱିକେଟ ନେଇଥିଲେ । ୧୨୬ ରନର ଲକ୍ଷ୍ୟକୁ ଜମ୍ମୁ-କଶ୍ମୀର ୪ ୱିକେଟ ହରାଇ ହାସଲ କରି ନେଇଥିଲା । ବଂଶଜ ଶର୍ମା ୪୩ ଓ ଅବଦୁଲ ସମଦ ୩୦ ରନ କରି ଅପରାଜିତ ରହିଥିଲେ । ଆକାଶଦୀପ ୩ଟି ୱିକେଟ ନେଇଥିଲେ ।

ଦ୍ୱିତୀୟ ସେମିଫାଇନାଲରେ ଉତରାଖଣ୍ଡ ବିପକ୍ଷରେ କର୍ଣ୍ଣାଟକ ୮୦୨ ରନର ଅଗ୍ରଣୀ ହାସଲ କରିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକିଥିବାରୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କର୍ଣ୍ଣାଟକ ଫାଇନାଲ ପ୍ରବେଶ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଦେବଦତ ପାଡିକଲ ୨୩୨ ରନ ସହାୟତାରେ କର୍ଣ୍ଣାଟକ ୭୩୬ ରନ କରିଥିଲେ । ଉତରାଖଣ୍ଡ ୨୩୩ ରନ କରିଥିଲା । କର୍ଣ୍ଣାଟକ ଦ୍ୱିତୀୟ ଇନିଂସରେ ୬ ୱିକେଟ ବିନିମୟରେ ୨୯୯ ରନ ସଂଗ୍ରହ କରିିଛି ।

Leave A Reply

Your email address will not be published.