Latest Odisha News

ଏଲଓସିରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ଶ୍ରୀନଗର: ମଙ୍ଗଳବାର ଜମ୍ମୁ କାଶ୍ମୀରର ବଟ୍ଟଲ ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ନିୟନ୍ତ୍ରଣ ସୀମା ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ଦେଖି ସେନା ପକ୍ଷରୁ ସେମାନଙ୍କୁ ରୋକିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସେହି ସମୟରେ ଆରମ୍ଭ ହୋଇଥିଲା ଗୁଳିବିନିମୟ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ସେନା ଆହତ ହୋଇଛନ୍ତି। ସେନା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ବ୍ୟାଟାଲ ସେକ୍ଟରରେ ଏହି ଅପରେସନ ଚାଲିଛି।

ସେନାର ହ୍ୱାଇଟ ନାଇଟ୍ କର୍ପସ (୧୬ କର୍ପସ) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଏନକାଉଣ୍ଟର ବିଷୟରେ ସୂଚନା ଦେଇଛି। ଆଜି ଭୋର ୩ଟାରେ ବଟ୍ଟଲ ସେକ୍ଟରରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ଉପରକୁ ସେନା ପକ୍ଷରୁ ଗୁଳି ଚାଳନା କରି ଅନୁପ୍ରବେଶକୁ ପଣ୍ଡ କରିଛନ୍ତି। ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିଲେ। ପାକିସ୍ତାନର କିଛି ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥିବା ଜଣାପଡିଛି। ତେଣୁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଛି।

ଜୁଲାଇ ୨୨ ତାରିଖ ଦିନ ଯବାନମାନେ ସାମରିକ ପୋଷ୍ଟ ତଥା ରଜୌରୀ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି। ଆଉ ଆଜି ବଟ୍ଟଲ ସେକ୍ଟରରେ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଛି। ରଜୌରୀ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମଧ୍ୟ ଏକ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଯବାନାମାନେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି ଘଟଣାରେ ଜଣେ ସେନା, ସାଧାରଣ ନାଗରିକ ଏବଂ ଭିଡିଜିର ଜଣେ ସମ୍ପର୍କୀୟ ଆହତ ହୋଇଥିଲେ। କୁହାଯାଉଛି ଯେ ପାକିସ୍ତାନର ଅନୁପ୍ରବେଶକାରୀ ବାରମ୍ବାର ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି।

Comments are closed.