Latest Odisha News

BREAKING NEWS

ଯୋଡା ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା, ଆସିଲା ଭିସେରା ରିପୋର୍ଟ; ୭ ଜଣଙ୍କ ନାଁରେ ଏତଲା

କେନ୍ଦୁଝର: ଯୋଡା ଡାକ୍ତର ଶୁଭଶ୍ରୀ କର ମାମଲାରେ ନୂଆ ଟ୍ବିଷ୍ଟ। ଝିଅର ମୃତ୍ୟର ୨୦ ଦିନ ପରେ ଯୋଡା ଥାନାରେ ଏତଲା ଦେଲେ ମୃତକଙ୍କ ବାପା। ମୋଟ୍ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ସେହିପରି ପୋଲିସ ହାତରେ ଲାଗିଛି ଶୁଭଶ୍ରୀଙ୍କ ଭିସୋରେ ରିପୋର୍ଟ। ଯେଉଁଥିରେ ଅତ୍ୟଧିକ ମଦ ଏବଂ ନଦ ବଟିକା ଖାଇଥିବା ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ମୃତକଙ୍କ ବାପା ମନୋରଞ୍ଜନ କର ଶୁକ୍ରବାର ମୋଟ୍ ୭ ଜଣଙ୍କ ନାମରେ ଯୋଡା ଥାନାରେ ଏତଲା ଦେଇଛନ୍ତି। ଯେଉଁଥିରେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ସମ୍ପର୍କୀୟ ମାମୁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଓ ମା’ଙ୍କ ସମେତ ତିନି ଜଣ ଡାକ୍ତରଙ୍କ ନାଁରେ ଏତଲା ଦେଇଛନ୍ତି।

ଶୁଭଶ୍ରୀଙ୍କ ମୃତ୍ୟୁ ନୂଆବର୍ଷ ଦିନ ହୋଇଥିଲା। ପୂର୍ବ ରାତିରେ ନିଜର ସହଯୋଗୀଙ୍କ ସହ ସେ ରହୁଥିବା ଘରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ଗୀତ ସାଙ୍ଗକୁ ନାଚି ନାଚି ଶୁଭଶ୍ରୀ ନୂଆବର୍ଷକୁ ସ୍ବାଗତ କରୁଥିବା ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିିଳିଥିଲା। ହେଲେ ସକାଳେ ତାଙ୍କୁ ଘରର ସହାୟିକା ଯେତେବେଳେ ଡାକିଥିଲେ କବାଟ ଖୋଲିନଥିଲେ କି ଶୁଣିନଥିଲେ ଶୁଭଶ୍ରୀ। ଏହାପରେ ପୋଲିସ ଆସି କବାଟ ଭାଙ୍ଗି ଦେଖିଥିଲା ଶୁଭଶ୍ରୀ ତାଙ୍କ ବେଡ ଉପରେ ପଡିଛନ୍ତି। ପରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ମିିଳିଥିବା ସୂଚନା ଅନୁଯାୟୀ ଶୁଭଶ୍ରୀ ମେଡିକାଲ ପାଠ ପଢୁଥିବା ବେଳେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କୁ ପ୍ରେମ କରିବସିଥିଲେ। ଏହାପରେ ଉଭୟ ମଧ୍ୟ ଡାକ୍ତର ଭାବେ ଚାକିରି ପାଇଥିଲେ। ହେଲେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦ରେ ଏ ନେଇ ସ୍ଥାନୀୟ ଥାନାରେ ଶୁଭଶ୍ରୀ ତାଙ୍କ ବୟଫ୍ରେଣ୍ଡଙ୍କ ବିରୋଧରେ ଏତଲା ଦେଇଥିଲେ। ପରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଯେଉଁ ହସ୍ପିଟାଲରେ ଚାକିରି କରୁଥିଲେ ସେଠାରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ଏବଂ ସେ ଏବେ ଫେରାର ଥିବା ସୂଚନା ରହିଛି।

 

Comments are closed.