ମଧ୍ୟପ୍ରଦେଶ: ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ । ହେଲେ ଆଜିର ସମୟରେ କେହି ଯୌଥ ପରିବାରରେ ରହିବାକୁ ଇଛା କରୁନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ଦୁନିଆରେ ଅନେକ ଯୌଥ ପରିବାର ରହିଛି, ଯେଉଁଠି ସମସ୍ତେ ଗୋଟିଏ ଛାତ ତଳେ ରହିଥାନ୍ତି । ସେହିପରି ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାରେ ଏକ ଅନନ୍ୟ ଯୌଥ ପରିବାର ବାସ କରନ୍ତି, ଯେଉଁଥିପାଇଁ ଏହି ପରିବାରକୁ ଜିଲାରେ ସବୁଠୁ ବଡ଼ ପରିବାର ଭାବେ ବିବେଚନା କରାଯାଏ । ଏହି ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଖାର୍ଗୋନ ଜିଲ୍ଲାର ଭିକାନଗାଓଁର ଖାରଭି ଗ୍ରାମରେ ରୁହନ୍ତି ପଟେଲ ପରିବାର । ଏହି ପରିବାରରେ ସମୁଦାୟ ୬୫ ଜଣ ସଦସ୍ୟ ଅଛନ୍ତି । ସମସ୍ତ ସଦସ୍ୟ ଗୋଟିଏ ଛାତ ତଳେ ରୁହନ୍ତି । ଏକତ୍ର ଚାଷ ଓ ବ୍ୟବସାୟ କରନ୍ତି । ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ରିଭୋଜନ ବି ଖାଇଥାନ୍ତି । ୫୯ ବର୍ଷ ବୟସ୍କା ଭୁରିବାଇ ପଟେଲଙ୍କ ଆଦର୍ଶ ଓ ନିୟମ ଯୋଗୁ ଏହି ପରିବାର ଆଜି ଏକାଠି ହୋଇ ରହିଥିବା ଜଣାଯାଇଛି । ଭାଇ-ଭାଇ ଓ ବୋହୂ- ବୋହୂ ମଧ୍ୟରେ ପାରସ୍ପରିକ ପ୍ରେମ ଏବଂ ସ୍ନେହ ମଧ୍ୟ ଚମତ୍କାର । ପରିବାରରେ ଅଛନ୍ତି ୨୮ ପିଲା । ଆଉ ସେମାନଙ୍କ ଭିତରେ ସେହ୍ନ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପରିବାରରେ ସମୁଦାୟ ୧୭ ପୁରୁଷ ଥିବାବେଳେ ୨୧ ଜଣ ମହିଳା ଅଛନ୍ତି ।
ଏହି ଚର୍ଚ୍ଚିତ ପରିବାରର ସବୁଠୁ ବଡ଼ ପୁଅ ବାଲିରାମ ପଟେଲ କହିଛନ୍ତି ଯେ, ପରିବାରର ସମସ୍ତ ସଦସ୍ୟ ପ୍ରତ୍ୟେକ ପର୍ବପର୍ବାଣିକୁ ଉତ୍ସାହର ସହ ପାଳିଥାନ୍ତି । ସମସ୍ତଙ୍କ ଭିତରେ ସମ୍ମାନ ଓ ଭଲପାଇବା ଭରି ରହିଛି । ଆମର ୧୧୦ ଏକର ଜମି ଅଛି । ଆମେ ସବୁ ଭାଇ ମିଶି ଏହି ଜମିରେ କପା ଓ ଲଙ୍କା ଚାଷ କରିଥାଉ । ଏଥିସହ ଆମ ଘରେ ୩୦ ଟି ମଇଁଷି ଅଛନ୍ତିି । ସେଥିରୁ ଦୈନିକ ୧୦୦ ଲିଟର କ୍ଷୀର ଆମେ ବିକ୍ରି କରିଥାଉ ।
Comments are closed.