ନୂଆଦିଲ୍ଲୀ: ୧୯ ବର୍ଷରୁ କମ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଜେରିକ ଭାନ ସାଲଭିକ ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶୁକ୍ରବାର ଜିମ୍ବାୱେ ବିପକ୍ଷରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାତ୍ର ୧୫୩ ବଲରେ ୧୯ ଚୌକା ଓ ୬ ଛକା ସହାୟତାରେ ୨୧୫ ରନର ଇନିଂସ ଖେଳିଥିଲେ । ସେ ୧୪୦.୫୨ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ଜେରିକଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୮୫ ରନର ବିଶାଳ ସ୍କୋର କରିଥିଲେ । ଜବାବରେ ଜିମ୍ବାୱେ ଟିମ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା ।
ଯୁବ ଦିନିକିଆ କ୍ରିକେଟରେ ଏ ଭଳି ବୃହତ ଇନିଂସ କୌଣସି ଖେଳାଳି ଖେଳି ନ ଥିଲେ । ୨୦୧୮ରେ ଶ୍ରୀଲଙ୍କାର ହାସିଥ ୱାୟଗୋଡା ୧୯୧ ରନ କରିଥିଲେ । ସେ କେନିୟା ବିପକ୍ଷରେ ଏହି ଇନିଂସ ଖେଳିଥିଲେ । ସେହିପରି ୨୦୦୩ରେ ଅଷ୍ଟ୍ରେଲିଆର ଥିୟୋ ଡୋରୋପୋଲୋସ ୧୭୯ ଓ ୨୦୦୨ରେ ଭାରତର ଅମ୍ବାତି ରାୟୁଡୁ ୧୭୭ ରନ କରିଥିଲେ । ରାୟୁଡୁ ଇଂଲଣ୍ଡ ବିପକ୍ଷରେ ଏହି ଇନିଂସ ଖେଳିଥିଲେ । ଯୁବ କ୍ରିକେଟରେ ଭାରତ ପକ୍ଷରୁ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
Comments are closed.