Latest Odisha News

‘ବିଇଓଙ୍କ ଚିଠି, ବିଭାଗୀୟ ନିର୍ଦ୍ଦେଶ ନୁହେଁ’, ସ୍କୁଲ୍ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ନେଇ ନିର୍ଦ୍ଦେଶ ଦିଆଯାଇନି: ମନ୍ତ୍ରୀ

ଭୁବନେଶ୍ୱର: ପ୍ରତିବାଦ, ସମାଲୋଚନା ପରେ ବଦଳିଲା ମନ୍ତ୍ରୀଙ୍କ ବୟାନ । ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓଙ୍କ ଚିଠି ପରେ ମନ୍ତ୍ରୀ ବିବୃତି ରଖିଥିଲେ । କହିଥିଲେ କିଛି ଅଣସ୍ୱୀକୃତି ପ୍ରାପ୍ତ ୱେବ ସାମ୍ବାଦିକ ବିଦ୍ୟାଳୟରେ ପଶି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ବିଇଓମାନେ ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଥିବା କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଦିନକ ପରେ ତାଙ୍କ ଭର୍ସନ ବଦଳି ଯାଇଛି ।

ବିଇଓଙ୍କ ଚିଠି ଓ ମନ୍ତ୍ରୀଙ୍କ ବୟାନକୁ ନେଇ ଚାରିଆଡ଼େ ପ୍ରତିବାଦ ପରେ ମନ୍ତ୍ରୀ ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ବିଭାଗ ପକ୍ଷରୁ ବିଦ୍ୟାଳୟକୁ ସାମ୍ବାଦିକମାନଙ୍କୁ ବାରଣ ନେଇ କୌଣସି ନିର୍ଦ୍ଦେଶ ଯାଇ ନାହିଁ । ଗଣମାଧ୍ୟମ ଜରିଆରେ ଆମେ ଅନେକ ଖବର ପାଉଛୁ । ବିଇଓ କରିଥିବା ଚିଠିକୁ ନେଇ ତର୍ଜମା କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

କିଛିଦିନ ତଳେ ଢେଙ୍କାନାଳର ଏକ ସ୍କୁଲର ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ଯାଇ କିଛି ପ୍ରଶ୍ନ ପଚାରିଥିଲେ । ସ୍କୁଲର ଶିକ୍ଷକ ଜଣଙ୍କ ଅତି ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । କିନ୍ତୁ ସ୍କୁଲର ଛାତ୍ରଛାତୀ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଯାହାକୁ ନେଇ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କର ଯୋଗ୍ୟତା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲ। । ଏମିତିକି ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହେବାରେ ଲାଗିଥିଲା ।

Leave A Reply

Your email address will not be published.