Latest Odisha News

ଏଣିକି ‘ଇଲେକସନ୍‌’ ଜରିଆରେ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ: ଜନପ୍ରତିନିଧିମାନେ ତ ନିର୍ବାଚିତ ହୁଅନ୍ତି । ଅନେକ ଦେଶରେ ରାଷ୍ଟ୍ରପତି ମଧ୍ୟ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । କିନ୍ତୁ ନ୍ୟାୟାଳୟର ବିଚାରପତିମାନେ ସାଧାରଣ ଜନତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହୋଇପାରିବେ କି ? କୌଣସି ଦେଶରେ ଏ ବିଚିତ୍ର ବ୍ୟବସ୍ଥା ଆଗରୁ ନଥିଲା । ଏବେ ମେକ୍ସିକୋ ବିଶ୍ୱର ପ୍ରଥମ ଦେଶ ହୋଇଛି, ଯେଉଁଠି ବିଚାରପତିମାନେ ଜନତା ଜନାର୍ଦ୍ଦନଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହେବେ ।

ବିଚାରପତି ନିର୍ବାଚନ ବିଲ୍ ଓ ବିରୋଧ

ମେକ୍ସିକୋରେ ବିଚାରପତିମାନେ ଏଣିକି ଯୋଗ୍ୟତା ଭିତ୍ତିରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବେନି । ଏଥର ବିଚାରପତିମାନଙ୍କ ପାଇଁ ହେବ ନିର୍ବାଚନ । ସାଧାରଣ ଜନତା ଭୋଟ୍ ଦେଇ ବିଚାରପତିମାନଙ୍କୁ ବାଛିବେ । ଏ ସଂପର୍କିତ ବିଲ୍ ମେକ୍ସିକୋ ପାର୍ଲାମେଂଟରେ ପାସ୍ ହୋଇଛି । ଶାସକ ମୋରେନା ପାର୍ଟି ପକ୍ଷରୁ ଆଗତ ଏହି ବିଲ ସପକ୍ଷରେ ୮୬ ଓ ବିପକ୍ଷରେ ୪୧ଟି ଭୋଟ୍ ପଡିଥିଲା । ତେବେ ସଂସଦରେ ପାସ୍ ହୋଇଥିଲେ ମଧ୍ୟ ହଜାର ହଜାର ଲୋକ ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ବିଲ୍ ବିରୋଧୀ ବିକ୍ଷୋଭରେ ଆଇନ୍ ଛାତ୍ର ଓ କୋର୍ଟ ଅଧିକାରୀ ବି ବହୁସଂଖ୍ୟାରେ ସାମିଲ ହୋଇଛନ୍ତି । ବିଲ୍ ଆଇନରେ ପରିଣତ ହେଲେ ସୁପ୍ରିମକୋର୍ଟରୁ ଆରମ୍ଭ କରି ସ୍ଥାନୀୟ କୋର୍ଟର ସବୁ ବିଚାରପତି ଜନତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହେବେ । ଏହି ବିଲ୍ ପାସ୍ କରିବାରେ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ୍ ଲୋପେଜଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶର ବର୍ତ୍ତମାନ ନ୍ୟାୟିକ ବ୍ୟବସ୍ଥା ଏକ ଏଲିଟ ବର୍ଗର ହିଁ ହିତ ସାଧନ କରୁଛି ବୋଲି ରାଷ୍ଟ୍ରପତିଙ୍କ ମତ । ନିଜ କାର୍ଯ୍ୟକାଳରେ ହିଁ ଏହି ବିଲ୍ ପାସ୍ କରିବାକୁ ଚାହୁଁଥିଲେ ମେକ୍ସିକୋ ରାଷ୍ଟ୍ରପତି । ରାଷ୍ଟ୍ରପତି ଲୋପେଜଙ୍କ କାର୍ଯ୍ୟକାଳ ଏହି ମାସ ୩୦ ତାରିଖରେ ଶେଷ ହେଉଛି । କୁହାଯାଉଛି ଯେ, ରାଷ୍ଟ୍ରପତି ଲୋପେଜ ତରବରିଆ ଭାବେ ବିଲ୍ ପାସ କରିବାକୁ ନିଷ୍ପତ୍ତି ନେଇଥିଲେ । ବିଲ୍ ପାସ ହୋଇଥିବାରୁ ଶାସକ ଦଳ ଏବେ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛି । ଏହାଦ୍ୱାରା ନ୍ୟାୟପାଳିକା ପାଇଁ ନିର୍ବାଚନ ରାସ୍ତା ପରିଷ୍କାର ହେବ । ୬ ହଜାର ୫ ଶହରୁ ଅଧିକ ବିଚାରପତି ଓ ମାଜିଷ୍ଟ୍ରେଟ୍ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ । ଏଥିସହ ଜଜ୍ ବା ମାଜିଷ୍ଟ୍ରେଟ୍ ହେବା ପାଇଁ ବାଧ୍ୟତାମୂଳକ ଅଭିଜ୍ଞତା ୧୦ ବର୍ଷରୁ ୫ ବର୍ଷକୁ କମାଇ ଦିଆଯାଇଛି । ଏଥିଯୋଗୁଁ ଲୋକେ ବିଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ।

ସଂସଦ ଭିତରେ ପଶିଲେ ବିଲ୍ ବିରୋଧୀ

ନୂଆ ବିଲ୍ ଆଗତ ପୂର୍ବ ଦିନ ବିକ୍ଷୋଭକାରୀମାନେ ସଂସଦ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଭୟଭୀତ ସାଂସଦମାନେ ଛତ୍ରଭଙ୍ଗ ଦେଇ ନିକଟରେ ଏକ କୋଠାରେ ଆଶ୍ରୟ ନେଇଥିଲେ । ବିରୋଧୀ ଦଳ ନେତାମାନେ ମଧ୍ୟ ବିକ୍ଷୋଭକାରୀଙ୍କ ସହ ସାମିଲ ହୋଇଥିଲେ । ପରେ ବ୍ୟାପକ ପୋଲିସ ମୁତୟନ ମଧ୍ୟରେ ସଂସଦ ବସିଥିଲା । ବିଲ୍ ପାସ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ ଜୁଟାଇବାରେ ସଫଳ ହୋଇଥିଲା ଶାସକ ମୋରେନା ପାର୍ଟି । ଅକ୍ଟୋବର ପହିଲାରୁ ଦାୟିତ୍ୱ ନେବାକୁ ଥିବା ଦେଶର ନବନିର୍ବାଚିତ ରାଷ୍ଟ୍ରପତି କ୍ଲାଣ୍ଡିଆ ସେନବାମ୍ ଓ ବିରୋଧୀ ଦଳ ନେତା ମିଗୁଏଲ ଏଞ୍ଜେଲ୍ ବିଲକୁ ସମର୍ଥନ କରିଛନ୍ତିା । ବିରୋଧୀ ଦଳ ନେତା ମିଗୁଏଲ ଏଞ୍ଜେଲ୍ ବିଲକୁ ସମର୍ଥନ କରିଥିବାରୁ ନିଜ ଦଳର ନେତାମାନେ ତାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ।

କାହିଁକି ବିଚାରପତି ନିର୍ବାଚନ ବିଲ୍ ଆଣିଲେ ରାଷ୍ଟ୍ରପତି ?

ସୁପ୍ରିମକୋର୍ଟ ସହ ବିଦାୟୀ ରାଷ୍ଟ୍ରପତି ଆନ୍ଦ୍ରେସ ଲୋପେଜଙ୍କ ସଂପର୍କ ଭଲ ନଥିଲା । ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁହାଁମୁହିଁ ହୋଇଛନ୍ତି । ଲୋପେଜଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଅଙ୍କୁଶ ଲଗାଇଥିଲେ ସୁପ୍ରିମକୋର୍ଟ । ଏଥିପାଇଁ ବିଚାରପତି ନିର୍ବାଚନ ବିଲ୍ ଆଣିବା ସପକ୍ଷରେ ଯୁକ୍ତି ବାଢିଥିଲେ ରାଷ୍ଟ୍ରପତି ଲୋପେଜ୍ ।

 

Comments are closed.