Latest Odisha News

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍ ଏବଂ ପ୍ୟାକେଜଡ୍ ମାଂସ । ଏସବୁ ପାଟିକୁ ତ ସୁଆଦିଆ ଲାଗୁଥିଲା, କିନ୍ତୁ ଶରୀରକୁ ମିଳୁନଥିଲା ଆବଶ୍ୟକ ଭିଟାମିନ । ଫଳରେ ସେ ଦରକାରୀ ଭିଟାମିନ ଅଭାବ ଜନିତ ରୋଗର ଶିକାର ହୋଇ ଯାଇଥିଲେ । ଏପରି ସ୍ଥିତିକୁ ଡାକ୍ତରୀ ଭାଷାରେ କୁହାଯାଏ Nutritional Optic Neuropathy (NON) ।

ସାଧାରଣତଃ ବିକାଶଶୀଳ ଏବଂ ଗରିବ ଦେଶମାନଙ୍କରେ ପୁଷ୍ଟିହୀନ ଶିଶୁଙ୍କ ଶରୀରରେ ଏହି ଅଭାବ ଦେଖିବାକୁ ମିଳେ । କିନ୍ତୁ ବିକଶିତ ଦେଶ ମାନଙ୍କରେ ଜଙ୍କ ଫୁଡର ଅତ୍ୟଧିକ ପ୍ରଚଳନ ଯୋଗୁ ଏବେ NON ଲକ୍ଷଣ ଦେଖିବାକୁ ମିଳୁଛି । ଏହା ଧୀରେ ଧୀରେ ଆଖିରେ ଥିବା ଅପ୍ଟିକ୍ ସ୍ନାୟୁକୁ ନଷ୍ଟ କରିଦିଏ । ଠିକ୍ ସମୟରେ ଚିକିତ୍ସା କରାନଗଲେ ଏଥିଯୋଗୁ ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହେବାର ଭୟ ରହିଛି ।

ବ୍ରିଟେନର ବ୍ରିଷ୍ଟଲ ସହରରେ ରହୁଥିବା ଏହି ନାବାଳକ ଜଣକ ଏବେ ଜଙ୍କ ଫୁଡର କୁପ୍ରଭାବ ଭୋଗୁଛନ୍ତି । ତାଙ୍କ ଆଖି ଏବଂ କାନ ଉପରେ ପ୍ରଭାବ ପଡିଛି, ଏହାସହ ହାଡ ମଧ୍ୟ ଦୁର୍ବଳ ହୋଇଯାଇଛି । ଆମ ଦେଶରେ ମଧ୍ୟ ଜଙ୍କ ଫୁଡ୍, ପ୍ୟାକେଜଡ ଫୁଡ୍ ଏବଂ ଫାଷ୍ଟ ଫୁଡର ଆଦର ବଢିବାରେ ଲାଗିଛି । ତେଣୁ ଏନେଇ ସତର୍କ ହେବାର ସମୟ ଆସିଛି ।

Leave A Reply

Your email address will not be published.