Latest Odisha News

ମନ୍ତ୍ରୀଙ୍କୁ ହତ୍ୟା: କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ବିଚାରପତି ଜେପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ଏହି ତଦନ୍ତର ତଦାରଖ କରିବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ। ନିକଟରେ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖି ଜଣେ ବିଚାରପତି ଅବା ଅବସରପ୍ରାପ୍ତ ବିଚାରପତି (ହାଇକୋର୍ଟ ବା ଜିଲ୍ଲା କୋର୍ଟ)। ମନ୍ତ୍ରୀ ନବ ଦାସଙ୍କୁ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡରେ ଜଣେ ପୋଲିସ କର୍ମଚାରୀ ମୁଖ୍ୟ ଅଭିଯୁକ୍ତ ହୋଇଥିବାରୁ ସ୍ୱଚ୍ଛତା ରକ୍ଷା ପାଇଁ ସରକାର ଏପରି କୋର୍ଟଙ୍କୁ ଚିଠି ଲେଖିଥିଲେ। ଏହାପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସଙ୍କୁ ନିଯୁକ୍ତି ମିଳିଛି।

ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଅଧିକ ପଚରାଉଚରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ହେଲେ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କରିଛନ୍ତି।

କେଉଁ କାରଣ ପାଇଁ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କଲେ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା ରହିଛି ନା ସୁପାରି କିଲିଂ ତାକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ରିମାଣ୍ଡ ବେଳେ ଅଧିକ ସୂଚନା ମିଳିବ ବୋଲି କହିଥିଲେ ତଦନ୍ତର ନେତୃତ୍ବ ନେଉଥିବା ଏଡିଜି ଅରୁଣ ବୋଥ୍ରା।

ଏହି ଘଟଣାରେ ବିଜେପି କିନ୍ତୁ ସିବିଆଇ ତଦନ୍ତ ଦାବି କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହୋଇଛି। ହେଲେ ଗୃହ ବିଭାଗର ମନ୍ତ୍ରୀ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଏ ବାବଦରେ ନିରବ ରହିଛନ୍ତି। ସେହିପରି ଗୃହ ସଚିବ ଚୁୁପ୍ ରହିବା ଏବଂ ପୋଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳକୁ ନଯିବା ନେଇ ସମାଲୋଚନା କରିଥିଲେ ସମୀର ମହାନ୍ତି।

 

 

Comments are closed.