Latest Odisha News

BREAKING NEWS

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କେଦାର ମିଶ୍ର

କବିତାରେ ଅନ୍ଧାର ଓ ଅନ୍ଧାର ଭିତରେ ବିବିଧ ସ୍ୱରର କାନ୍ଦଣା । କବିତା କେବଳ ଲୁହର ଲୁଣି ସମୁଦ୍ର । ସେ ସମୁଦ୍ର ଦେଖିବାକୁ ସୁନ୍ଦର, ହେଲେ ଅକାତକାତ ପାଣି ଶୋଷ ମାରିପାରେନା । ଲୁହର ସମୁଦ୍ର ସବୁ କାଳେ ଆମ କବିତାକୁ ସୁନ୍ଦର କରିଛି । ଶୋଷ କିନ୍ତୁ ମରିପାରିନି । କାରୁଣ୍ୟର କବିତା ଆମକୁ ଅଧିକରୁ ଅଧିକ ବିଷାଦ ଆଣି ଦେଇଛି । ତେବେ କବିତାର ଚାତୁରୀରେ ଏଇ ବିଷାଦରେ ଇ ଆନନ୍ଦ । ଶୋକ ଭିତରୁ ଜନ୍ମ ନେଇଥିବା ଶ୍ଲୋକ ଆମକୁ ଅଭିଭୂତ କରିଛି । କେଇ ହଜାର ବର୍ଷ ତଳେ ଦୁଇଟି ମିଥୁନରତ ପକ୍ଷୀ । ସେମାନଙ୍କ ଦେହରେ ମିଳନର ଉନ୍ମାଦନା । ସେତେବେଳେ ଇ ପ୍ରବେଶ କରେ ବ୍ୟାଧ ବେଶର ଖଳନାୟକ । ଶରାହତ କରେ ପ୍ରେମୀ ଯୁଗଳଙ୍କୁ । ମିଳନରୁ ବଞ୍ଚିତ ପକ୍ଷୀର ବ୍ୟଥା କବି କରିଦିଏ ବାଲ୍ମିକୀଙ୍କୁ । ତେବେ ପ୍ରଥମ କବିତା କେବଳ ବେଦନାରୁ ଜନ୍ମ ନେଇନାହିଁ । ବାଲ୍ମିକୀଙ୍କ କଣ୍ଠରେ କ୍ରୌଞ୍ଚ ପକ୍ଷୀ ଲାଗି କାରୁଣ୍ୟ ଯେତିକି, ବ୍ୟାଧ ବିରୋଧରେ କ୍ରୋଧ ବି ସେତିକି । ଅଥଚ କାଳ କାଳ ଧରି ଆମେ କ୍ରୋଧ ଅପେକ୍ଷା କାରୁଣ୍ୟକୁ କବିତାର ମୁଖ୍ୟସ୍ବର ବୋଲି ମାନି ଆସିଲୁ ।

‘ଧ୍ୱନ୍ୟାଲୋକ’ର ସ୍ରଷ୍ଟା ଆନନ୍ଦ ବର୍ଦ୍ଧନ କହିଲେ – ‘ଶୋକଃ ଶ୍ଲୋକତ୍ୱମାଗତଃ’ ଅର୍ଥାତ୍ ଶୋକରୁ ଶ୍ଲୋକ ବା କବିତା ଜନ୍ମ ନେଲା । ‘ଉତ୍ତର ରାମ ଚରିତ’ର କବି ଭବଭୂତିଙ୍କ ଭାଷାରେ ‘ଏକୋରସଃ କରୁଣ ଏବ’ – ଜଗତରେ କରୁଣ ଇ ଏକମାତ୍ର ସାର୍ଥକ ଓ ସୌନ୍ଦର୍ଯ୍ୟଦାୟିନୀ ରସ । ସବୁଠୁ ଅଦ୍ଭୁତ ବକ୍ତବ୍ୟ ’ସାହିତ୍ୟ ଦର୍ପଣ’ର ଲେଖକ ବିଶ୍ୱନାଥ କବିରାଜଙ୍କର । ସେ କୁହନ୍ତି ‘କରୁଣାଦାବପି ରସେ ଜାୟେତ ଯତ୍ ପରଂ ସୁଖଂ” । କରୁଣ ହେଉଛି ସେ ରସ ଯିଏ ପରମ ସୁଖର କାରକ । ଲୁହ, କୋହ ଓ ବେଦନା ଭିତରେ ଆନନ୍ଦ ଆବିଷ୍କାରର ଏହି କାବ୍ୟିକ ଯାତ୍ରାଟି ବଡ଼ ଗହନ – ବେଶି ରହସ୍ୟମୟ ।

ବାଲ୍ମିକୀ ଆଶ୍ରମରେ ଏକାକିନୀ ସୀତା କାନ୍ଦୁଛନ୍ତି । ତାଙ୍କ ସହ ସାରା ସାରା ଅରଣ୍ୟ କାନ୍ଦୁଛି । ପଥର ତରଳି ଯାଉଛି ବୁକୁଫଟା କ୍ରନ୍ଦନରେ । ଯିଏ ପଢୁଛି, ସିଏ ବି କାନ୍ଦୁଛି, ଦୁଃଖରେ ନୁହଁ କବିତାର ରସ ଭିଜା ଆହ୍ଲାଦରେ । ସୀତାଙ୍କ ସହ କାନ୍ଦି ପାରିବାର ଭାବପ୍ରବଣତା ସୃଷ୍ଟି କରି କବିତା ଆମକୁ ଯୁଗେ ଯୁଗେ ରସିକ କରାଇଛି । ସବୁଠୁ ମଜାର କଥା ହେଉଛି କବିତାର ଆବେଦନ ଆନନ୍ଦ ତୁଳନାରେ ବିଷାଦରେ ଅଧିକ । ସେଥିଲାଗି ଆମ ସମୟର ଅନ୍ୟତମ ଶ୍ରେଷ୍ଠ କବି ପାବଲୋ ନେରୁଦାଙ୍କର ବ୍ୟାକୁଳତା ହେଉଛି – might I can write the saddest words. ସବୁଠୁ ଦୁଃଖଦ ଧାଡ଼ିଟିଏ ରଚନା କରିବା ଲାଗି ପୃଥିବୀର ସବୁ କବି ସ୍ୱପ୍ନ ଦେଖନ୍ତି । ତେବେ କାଳ କାଳ ଧରି ଲୁହ ପ୍ରତି କବିତାର ଏ ଦୁର୍ନିବାର ଆକର୍ଷଣ କାହିଁକି ? ଜୀବନ କଣ କେବଳ କାରୁଣ୍ୟର ଉତ୍ସବ ? ଜୀବନ କ’ଣ ଲୁହର ନଈକୂଳେ ଏକ୍ଲା ତାଳଗଛ ? ଜୀବନ କ’ଣ ମୃତ୍ୟୁର ଅପେକ୍ଷାରେ ବସି ରହିଥିବା ଗୋଟେ ନିରୀହ କପୋତ ? ସତ୍ୟ ହେଉଛି, ଜୀବନ ଗୋଟେ ଅଦ୍ଭୁତ ବିନ୍ଦୁ ଯୋଉଠି ମୃତ୍ୟୁ ଓ ଅମୃତ ଇଚ୍ଛା ଗୋଟିଏ ରୂପରେ ସମାହିତ । ସେଥିଲାଗି ପୃଥିବୀର ସର୍ବପ୍ରାଚୀନ ମଣିଷର କବିତା (ଆଦିବାସୀ କବିତା)ରେ ଲୁହର ଉତ୍ସବ ନାହିଁ । ସେଠି କେବଳ ଗହ ଗହ ଆନନ୍ଦ । ସେଠି ଜୀବନକୁ ଗୀତଟିଏ କରିଦେବାର ପ୍ରବଳ ଆଗ୍ରହ । ସେଥିଲାଗି ଗୋପୀନାଥ ମହାନ୍ତି କହନ୍ତି –‘ଜୀବନରେ ସୁଆଦ ଅଛି, ମରଣ ନାହିଁ ।

କବିତାର ଏହି ବିଷମ ବିରୋଧାଭାସକୁ ଆମକୁ ବୁଝିବାକୁ ପଡ଼ିବ । ଶୋକ ସଂଗୀତରୁ ଶ୍ଲୋକର ମହୋତ୍ସବ ଚାଲିଛି, ଚାଲିଥାଉ । ହେଲେ, ୟା’ ବାହାରେ ବି ଜୀବନ ଅଛି । ସେ କଥା କବି ଯେମିତି ଭୁଲି ନ ଯାଏ !

Leave A Reply

Your email address will not be published.