ନୂଆଦିଲ୍ଲୀ: ତିବ୍ଦତର କୈଳାସ ପର୍ବତ ଏବଂ ମାନସରୋବର ହ୍ରଦର ପବିତ୍ର ତୀର୍ଥଯାତ୍ରା ତଥା କୈଳାସ ମାନସରୋବର ଯାତ୍ରାକୁ ପୁନର୍ବାର ଆରମ୍ଭ କରିବାକୁ ଉଭୟ ଭାରତ ଓ ଚୀନ ଯୋଜନା କରୁଛନ୍ତି। ତେବେ ଏନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି। ଏହି ଯାତ୍ରା ୨୦୨୦ ମସିହା କୋଭିଡ-୧୯ ସମୟରୁ ବନ୍ଦ ଥିଲା।
ଏକ ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଖୁବ୍ ଶୀଘ୍ର ଏକ ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ କରାଯିବ। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ସେ କହିଛନ୍ତି।
ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସଂଯୋଗର ପୁନଃଆରମ୍ଭ କରିବା ପାଇଁ ଉଭୟ ଦେଶର ବୈଷୟିକ ଦଳ ପକ୍ଷରୁ ବର୍ତ୍ତମାନ ଆବଶ୍ୟକୀୟ ବିବରଣୀ ଏବଂ ଏକ ସଂଶୋଧିତ ଢାଞ୍ଚା ପ୍ରସ୍ତୁତ କରାଯାଇଛି ଓ ପ୍ରାସଙ୍ଗିକ ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରାଯାଉଛି। ଜାନୁଆରୀ ୨୦୨୫ରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ବେଜିଂ ଗସ୍ତ ସମୟରେ ଏସମସ୍ତ ବିଷୟ ନେଇ ଆଲୋଚନା କରିଥିବା କଥା ଜୟସୱାଲ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ପାଇଁ ସମୟସୀମା ବର୍ତ୍ତମାନ ନାହିଁ କିନ୍ତୁ ବୈଷୟିକ ସ୍ତରରେ ଆଲୋଚନା ଚାଲିଛି। ଆମେ ଭିସା ବିଷୟରେ ଚୀନ୍ ସହିତ କଥାବାର୍ତ୍ତା କରିବା ସହ ଲୋକମାନଙ୍କ ମଧ୍ୟରେ ସମ୍ପର୍କ, ସଂଯୋଗୀକରଣ, ସିଧାସଳଖ ବିମାନ ସେବା ଏବଂ କୈଳାସ ମାନସରୋବର ଯାତ୍ରା ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ଚାଲିଛି।
ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମ ବିଶ୍ୱାସୀ ଲୋକମାନଙ୍କ ପାଇଁ କୈଳାସ ମାନସରୋବର ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଓ ଏହାର ପୁନଃଆରମ୍ଭ ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟନ ଏବଂ ପାରସ୍ପରିକ ଆଦାନପ୍ରଦାନକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
Comments are closed.