Latest Odisha News

BREAKING NEWS

କୁମାର ପୂର୍ଣ୍ଣିମା ଅବସରରେ ନିଆରା କଇଁଫୁଲ କୋଠି

ଯାଜପୁର: କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । କୁମାର ପୁର୍ଣ୍ଣିମାର ସାତ ଦିନ ପୂର୍ବରୁ ନିଜ ନିଜ ଚଉଁରା ମୁଳେ କୁମାରୀ ମାନେ ତିଆରି କରିଥାନ୍ତି କଇଁ ଫୁଲର କୋଠି ।

ଆଉ କୁମାର ପୂର୍ଣ୍ଣିମା ଦିନ ଗାଁ ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି ଚିତ୍ର । କୌଣସି ରଂଗ କିମ୍ବା କାଳିରେ ନୁହେଁ କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି ଚିତ୍ର । ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ ।

ଏଭଳି କୋଠି ପୂଜା କଲେ କଇଁ ଫୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ କରୋନା ପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ଗାଁର କୁମାରୀମାନେ ପାଳିଛନ୍ତି ।

ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି । ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ଭୋଗ କରିଥାନ୍ତି । ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତି ଶହ ଶହ ଦର୍ଶକ ।

ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ଏହି ଅବସରରେ ଏଠାରେ ପାଳଭୂତ ନାଚ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଗାଁର ଯୁବକ ମାନେ ପାଳ ଭୂତ ସାଜି ଗାଁ ଦାଣ୍ଡରେ ନାଚି ଥାନ୍ତି । ହେଲେ କରୋନ ଯୋଗୁଁ ଚଳିତବର୍ଷ ଏହାକୁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.