Latest Odisha News

BREAKING NEWS

ଅର୍କ ବିଜେପିରେ ସାମିଲ, ଜିଲ୍ଲାରେ ହୋଇପାରେ ବଡ଼ ଦଳୀୟ ପରିବର୍ତ୍ତନ

କଳାହାଣ୍ଡି: ଜିଲ୍ଲାର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପତ୍ନୀ ମାଳବିକା ଦେବୀଙ୍କ ସହ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ମୁଖ୍ୟତଃ ଉଭୟ ପତି ଓ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଉପର ନେତାଙ୍କଠୁ ପ୍ରତିଶ୍ରୁତି ପାଇଥିବା କୁହାଯାଉଛି। ଯାହାକୁ ନେଇ ଜିଲ୍ଲା ବିଜେପି ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।

ଏବେ ଜିଲ୍ଲାରେ ବିଜେପି ଏକ ବଡ ଧରଣର ପରିବର୍ତ୍ତନ କରିବ ବୋଲି ସୂଚନା ରହିଛି।  ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଆଗାମୀ ସାଧାରଣ ନିର୍ବାଚନ ଓ କଳାହାଣ୍ଡି ଲୋକସଭା ଆସନକୁ ଆଖି ଆଗରେ ରଖି ଅର୍କ ବିଜେପିରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ତାଙ୍କ ପତ୍ନୀ ମାଳବିକା ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

ତେବେ ଏହି ଦମ୍ପତ୍ତିଙ୍କୁ ବିଜେପିକୁ ଆଣିବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଆଗ୍ରହ ଅନେକ ରାଜନୈତିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅର୍କ ବା ମାଳବିକା ବିଜେପି ପ୍ରାର୍ଥୀ ହେଲେ ଜିଲ୍ଲାର ରାଜନୈତିକ ସମୀକରଣ ବଦଳିଯିବ। ବିଜେପିରେ ମିଶିବା ପରେ ଶ୍ରୀ ଦେଓ କହିଛନ୍ତି ଯେ କଳାହାଣ୍ଡି ପାଇଁ ସ୍ୱର୍ଗତ ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡିର ପୂର୍ବତନ ବିଜେପି ସାଂସଦ ବିକ୍ରମ କେଶରୀ ଦେଓଙ୍କ ପୁଅ ଅର୍କ ୨୦୧୩ରେ ବାପାଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହାପରେ ଅର୍କ ୨୦୧୪ରେ ବିଜେଡି ଟିକେଟରେ କଳାହାଣ୍ଡିରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା।

Comments are closed.