ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ ‘ଆଲୋକ ଆଗମନ ଦିବସ’ ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର ପ୍ରତୀକ ।
ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ ପିତୃପୁରୁଷଙ୍କୁ ଦୀପଦାନ କରାଯାଇଥାଏ । ଦାଣ୍ଡରେ, ଘର ବାରି ଚଉଁରା ମୂଳେ ଦୀପ ପ୍ରଜ୍ବଳନ କରାଯାଉଥିବାରୁ ଏହା ଦୀପାବଳି ଅମାବାସ୍ୟା ନାମରେ ନାମିତ । ପିତୃପୁରୁଷଙ୍କୁ ଆଖୁ ଖଣ୍ଡ ଆଗରେ ସାଳିତା ବାନ୍ଧି ବା କାଉଁରୀ କାଠ ଜାଳି ଆଲୋକ ଦେଖାଉ ଥିବାରୁ ଏହାକୁ ଅନେକ ‘ଡାଙ୍ଗ ଦେଖା’ ଅମାବାସ୍ୟା କହିଥାନ୍ତି । ଏହି ଦିନରେ ବାଣ ଫୁଟାଯାଉଥିବାରୁ କେହି କେହି ଏହାକୁ ‘ ବାଣଫୁଟା’ ଅମାବାସ୍ୟା ବୋଲି ବି କହିଥାନ୍ତି ।
ଏହି ଦିବସଟି ଅତ୍ୟନ୍ତ ପବିତ୍ର । ଅମବାସ୍ୟାର ପବିତ୍ରତା ଖୁବ ମହାନ । ଏହିଦିନ ଛଅ ପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରିବାର ବିଧି ରହିଛି । ପିତୃପୁରୁଷଙ୍କୁ ଚଉଁରା ମୂଳେ ଭାଇ , ବନ୍ଧୁ, କୁଟୁମ୍ବଙ୍କ ଗହଣରେ ଉପରକୁ ଆଲୋକ ଦେଖାଇ କହିଥାନ୍ତି – ” ଅଗ୍ନି ଦଗଧାଶ୍ଚ ଯେ ଜୀବା, ଯେପ୍ୟ ଦଗଧାଃ କୂଳେ ମମ, ତେ ସର୍ବେ ପଥି ଗଛନ୍ତୁ, ଜ୍ବାଳାୟ ଅନଳୟା ସହ, ପିତୃଲୋକମ୍ ପରିତ୍ୟଜ୍ୟ ଆଗତ ଯେ ମହାଳୟେ, ଉଜ୍ଜ୍ୱଳ ଜ୍ୟୋତିଷାଂ ରତ୍ମଂ ପ୍ରପଶ୍ୟନ୍ତୁ ବ୍ରଜନ୍ତୁତେ ।”
ଅର୍ଥାତ; ହେ ପିତୃଲୋକେ ଆଶ୍ୱିନମାସ ମହାଳୟାରେ ଆଗମନ କରିଥିଲେ, ଦିବ୍ୟ ଆଲୋକରେ ଆଜିର ଏହି ପବିତ୍ର ଦିବସରେ ପିତୃଲୋକକୁ ପୁନର୍ବାର ଗମନ କରନ୍ତୁ ।
ପୂର୍ବପୁରୁଷଙ୍କୁ ସ୍ନେହ ,ଶ୍ରଦ୍ଧା ସ୍ୱରୂପ ଏହି ଦିବସରେ ଆଲୋକବର୍ତ୍ତିକା ଧରି ଡାକନ୍ତି- ” ବଡ଼ ବଡୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡଇ ଥାଅ ।” ଦୀପବଳୀରେ ବଡବଡୁଆଙ୍କୁ ଡକା ଯାଉଥିବାରୁ କିଛି ଅଞ୍ଚଳରେ ଏହା ‘ବଡବଡୁଆ ଅମାବାସ୍ୟା’ ଭାବେ ପରିଚିତ ।
ଦୀପାବଳି ପାଳନର କେତେକ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ରହିଛି । ମହାପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ବିନାଶ କରି ମାତା ସୀତାଙ୍କୁ ଉଦ୍ଧାର କରି ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଏହି କାର୍ତ୍ତିକ ଅମବାସ୍ୟାରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ ।
ରାମଙ୍କୁ ପାଖରେ ପାଇ ଅଯୋଧ୍ୟା ବାସୀ ଅତ୍ମୋବିଭୋର ହୋଇ ଯାଇ ସାରା ରାଜ୍ୟକୁ ଦୀପରେ ସଜେଇ ଅମବାସ୍ୟା ରାତିକୁ ଆଲୋକିତ କରି ଦେଇଥିଲେ । କିମ୍ବଦନ୍ତୀ ଅନୁସାରେ ସେହି ଦିନଠାରୁ ଦୀପାବଳୀ ପାଳନ କରାଯାଏ ।
ଐତିହାସିକ ତଥ୍ୟ ଅନୁସାରେ ଜୈନଧର୍ମର ଚତୁର୍ବିଂଶ ତୀର୍ଥଙ୍କର ମହାବୀର ଏହିଦିନ ନିର୍ବାଣ ପ୍ରାପ୍ତ ହୋଇଥିଲେ । ସେମାନେ ମଧ୍ୟ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ପାଳନ କରିଥାନ୍ତି । ଏହି ଧର୍ମର ବ୍ୟବସାୟୀ ମାନେ ଏହିଦିନ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।
ପବିତ୍ର ଦୀପାବଳି ଦିନ ଶଙ୍କରାଚାର୍ଯ୍ୟ ମୃତ ଦେହରେ ପ୍ରବେଶ କରି ପୁନର୍ଜୀବନ ଲାଭ କରିଥିଲେ। ଆଲୋକର ପର୍ବ ପାଳନ କରି ତାଙ୍କ ଶିଷ୍ୟ ମାନେ ନାଚି ଉଠିଥିଲେ ।
ଆହୁରି ମଧ୍ୟ ଇତିହାସରେ ଉଲ୍ଲେଖ ରହିଛି ଯେ, ଦ୍ଵିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ ଦୀପାବଳି ଦିନ ରାଜ ସିଂହାସନ ଆରୋହଣ କରିଥିଲେ । ତେଣୁ ଲୋକେ ଖୁସିରେ ଏହାକୁ ପାଳନ କରିଥିଲେ ।
ସମସ୍ତ ଦୃଷ୍ଟିକୋଣରୁ ଆଲୋଚନା କଲେ ଜଣାଯାଏ ଯେ, ଦୀପାବଳି ଗୋଟିଏ ଧର୍ମ, ଗୋଷ୍ଠୀ ବବ ସମ୍ପ୍ରଦାୟ ମଧ୍ୟରେ ସୀମିତ ରହି ନାହିଁ । ଏହା ସାର୍ବଜନୀନ, ସମଗ୍ର ଦେଶରେ ପାଳିତ ହେଉଛି ।
ଭାରତୀୟ ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରିଛି ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ ।
Comments are closed.