Latest Odisha News

BREAKING NEWS

କନ୍ଧମାଳରେ ବାଲ୍ୟ ବିବାହ ରୋକିବା ପାଇଁ ପ୍ରୟାସ ଆରମ୍ଭ କଲେ ଜିଲ୍ଲାପାଳ

କନ୍ଧମାଳ: ସମ୍ପ୍ରତି କନ୍ଧମାଳ ଜିଲ୍ଲାର ବହୁ କିଶୋରୀ ବାଲ୍ୟ ବିବାହର କରାଳ ପ୍ରଭାବରେ ପ୍ରଭାବିତ । ବାଲ୍ୟ ବିବାହ ଯୋଗୁଁ ଏମାନେ କମ୍ ବୟସରୁ ସାଂସାରିକ ଜୀବନରେ ବାନ୍ଧି ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ସହ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହୋଇଥାନ୍ତି । ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଦୀର୍ଘ ଦିନ ଧରି ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରୀ ରହିଥିଲେ ମଧ୍ୟ ସଚେତନତାର ଅଭାବ ଓ ପୁଅ ଝିଅଙ୍କ ମଧ୍ୟରେ ଥିବା ଅହେତୁକ ଭେଦଭାବ ଯୋଗୁଁ ସେପରି ଆଖିଦୃଷ୍ଟିଆ ସଫଳତା ମିଳିପାରୁନି ।

ଏହାକୁ ଦୃଷ୍ଟିରେ ରଖି ଡା. ବୃନ୍ଦା ଡି. କନ୍ଧମାଳର ଜିଲ୍ଲାପାଳ ରୂପେ ଯୋଗଦାନ କରିବା ପରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ରୂପେ ଗଢ଼ିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ବହୁ ଅନୁଷ୍ଠାନ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ସେଭ୍ ଦି ଚିଲଡ୍ରେନ୍ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଅନନ୍ୟା ପ୍ରକଳ୍ପ ଜରିଆରେ ବାଲ୍ୟ ବିବାହ ବନ୍ଦ ପାଇଁ ପ୍ରୟାସ ଜାରୀ ରଖିଛି ।

କ.ନୂଆଗାଁ ବ୍ଳକରେ କିଶୋର, କିଶୋରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ଆଗଧାଡ଼ିର ସେବା ପ୍ରଦାନକାରୀ ସମସ୍ତଙ୍କୁ ସର୍ବଦା ବାଲ୍ୟ ବିବାହ ବିରୋଧରେ ସଚେତନ କରି ଚାଲିଛି । ଏଥିପାଇଁ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି । ସମ୍ପ୍ରତି ପୁଅ ଓ ଝିଅଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୃଷ୍ଟିରେ ରଖି ଅନନ୍ୟା ବାଳିକା ସଂଘ ସହାୟତାରେ କ.ନୂଆଗାଁ ବ୍ଳକର ନଅ ଗୋଟି ପଂଚାୟତରେ “ମୋ ଝିଅ ପାଇଁ ପଦୁଟିଏ” କାର୍ଯ୍ୟକ୍ରମ ଆୟୋଜନ କରିଛି ।

କାର୍ଯ୍ୟକ୍ରମକୁ କିଶୋରୀ ବାଳିକା ଓ ସେମାନଙ୍କ ପିତାଙ୍କୁ ନିମନ୍ତ୍ରିତ କରାଯାଇ ଝିଅକୁ ନେଇ ବାପାମାନେ କାହିଁକି ଓ ବାପାଙ୍କୁ ନେଇ ଝିଅମାନେ କାହିଁକି ଗର୍ବ ଅନୁଭବ କରିବେ, ସେ ସମ୍ପର୍କରେ ପ୍ରତିଯୋଗିତା କରାଯାଇ ବିଜୟୀ ପିତା ଓ ଝିଅଙ୍କୁ ସମ୍ମାନିତ କରାଯାଇଛି । ଏହାଦ୍ୱାରା ବାପା ଓ ଝିଅ ଉଭୟ ସଚେତନ ହେବା ସହ ଝିଅ ବୋଝ ନୁହେଁ ବରଂ ଅମୂଲ୍ୟ ସମ୍ପଦ ବୋଲି ବାପାମାନେ ହୃଦବୋଧ କରିପାରିଛନ୍ତି ।

ଏଥିସହ ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେବା, କମ୍ ବୟସରେ ଝିଅକୁ ବାହା ନଦେବା ଓ ନିଜ ଅଂଚଳରେ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଶପଥ ନେଇଥିଲେ । ପୁଅ ଓ ଝିଅଙ୍କ ମଧ୍ୟରେ ଥିବା ଅହେତୁକ ଭେଦଭାବକୁ ଦୂର କରିବା ସହ ଆଗାମୀ ଦିନରେ ବିଭିନ୍ନ ଅଂଚଳରେ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରି ପିତା ଓ ଭାଇ ସମେତ ପୁରୁଷ ମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସଚେତନ କରାଯିବ ବୋଲି ସ୍ୱାତୀର ସମ୍ପାଦକ ଇଂ.ହରିଶଙ୍କର ରାଉତ ପ୍ରକାଶ କହିଛନ୍ତି ।

Leave A Reply

Your email address will not be published.