ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗାମୀ ବିଶ୍ୱକପରେ ଋଷଭ ପନ୍ତ ଖେଳିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଜଣେ ପନ୍ତଙ୍କ ଶୁଭେଚ୍ଛୁ ଭାବରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି, ଦେଖାହେଲେ ସେ ଋଷଭ ପନ୍ତଙ୍କୁ ଚାପୁଡାଟେ ମାରିବେ। କାହଁକି ସେ ଚାପୁଡା ମାରିବାକୁ ଚାହୁଁଛନ୍ତି ତାର କାରଣ ମଧ୍ୟ କହିଛନ୍ତି କପିଲ ଦେବ।
ଋଷଭ ପନ୍ତଙ୍କ ବିଷୟରେ କପିଲ ଦେବ କହିଛନ୍ତି, ‘ମୁଁ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। କିନ୍ତୁ ମୁଁ ତାଙ୍କ ଉପରେ ରାଗିଛି। ମୁଁ ଋଷଭ ପନ୍ତଙ୍କୁ ଚାପୁଡା ମାରିବି। କାରଣ ତାଙ୍କ ସହିତ ଯାହା ଘଟିଲା ତାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ କ୍ଷତି। ସେ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, କିନ୍ତୁ ଏଭଳି ରିସ୍କ ନେବା ଉଚିତ ନୁହେଁ।’
କପିଲ ଦେବ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି, ପନ୍ତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ସେ ତାଙ୍କୁ ବହୁତ ଭଲପାଆନ୍ତି। କିନ୍ତୁ ଋଷଭଙ୍କ ଆଘାତ ଯୋଗୁଁ ଭାରତୀୟ ଦଳ ଅନେକ କ୍ଷତି ସହିଛି। ତାଙ୍କ ଅନୁପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ପାଇଁ ସମସ୍ତ ସଂଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା। କିନ୍ତୁ ସେ ସୁସ୍ଥ ହେବା ପରେ ପ୍ରଥମେ ତାଙ୍କୁ ଚାପୁଡ଼ା ମାରିବାକୁ ଇଚ୍ଛା ହେଉଛି ବୋଲି କହିଛନ୍ତି।
ଏହାପୂର୍ବରୁ ଯେତେବେଳେ ଋଷଭ ପନ୍ତଙ୍କ ଦୁର୍ଘଟଣା ଖବର ସେ ଜାଣିଥିଲେ ସେତେବେଳେ କପିଲ ଦେବ କହିଥିଲେ ଯେ ଋଷଭ ପନ୍ତ ଜଣେ ଡ୍ରାଇଭର ହୋଇପାରନ୍ତି ଏବଂ ସେ ଏକା କାର୍ ଚଳାଇବା ଉଚିତ ନୁହେଁ।
ଋଷଭ ପନ୍ତ ଏବେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି। କିନ୍ତୁ ଋଷଭ ପନ୍ତଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଛଅ ମାସରୁ ଅଧିକ ସମୟ ଲାଗିପାରେ। କାରଣ ତାଙ୍କ ଆଘାତ ଗୁରୁତର ଥିଲା। ସେ ଚଳିତ ବର୍ଷ ଆଇପିଏଲ୍ କିମ୍ବା ଭାରତରେ ହେବାକୁ ଥିବା ବିଶ୍ୱକପ୍ରେ ଖେଳିବାର ସମ୍ଭାବନା ନାହିଁ।
Comments are closed.